ପୁଣି ଘୁଂଚିଲା ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ: କୋଭିଡ ଲାଗି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଲାଗିଥିବା ପ୍ରତିବନ୍ଧକ ଉପରେ ଅବଧି ବୃଦ୍ଧି ପାଇଛି । ଯାହା ଫଳରେ ଆସନ୍ତା ଫେବୃଆରୀ ୨୮ ଯାଏ ବିଦେଶକୁ ବିମାନ ସେବା ବନ୍ଦ ରହିବ । ଏନେଇ ଡିଜିସିଏ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଏୟାର ବବଲ୍ସ ଚୁକ୍ତି ହୋଇଥିବା ଦେଶଗୁଡିକୁ ଭାରତରୁ ବିମାନ ଉଡି ପାରିବ । ଭାରତ ସରକାର ୩୦ଟି ଦେଶ ସହ ଏହି ଚୁକ୍ତି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୦ ମାର୍ଚ୍ଚ ୨୩ରେ ପ୍ରଥମଥର ପାଇଁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା । ଏହି ଅବଧି ନିୟମିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଡିଜିସିଏ କହିଛି ଯେ, ଫେବୃଆରୀ ୨୮ ଯାଏ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବା ସହ ମାଲ ପରିବହନ ଓ ଜରୁରୀ ସେବାରେ ନିୟୋଜିତ ବିମାନଗୁଡିକ ଉପରେ ଏହା ଲାଗୁ ହେବନି । ସେହିପରି ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ବିମାନଗୁଡିକ ମଧ୍ୟ ବିଦେଶକୁ ଉଡାଣ କରିପାରିବେ ।