ପୁଣି ଚର୍ଚ୍ଚାରେ ପ୍ରଭାକରନ୍‌, ଜୀବନ ପାଇବ ଏଲ୍‌ଟିଟିଇ!

ପ୍ରଭାକରନ ବେକରେ ବିଷାକ୍ତ କ୍ୟାପସୁଲ ରଖିଥିବାର ଆଲୋଚନା କରାଯାଏ…

ନୂଆଦିଲ୍ଲୀ: ତାମିଲନାଡୁର ଜଣେ ନେତାଙ୍କ ବୟାନ ଶୁଣିବା ପରଠାରୁ ଶ୍ରୀଲଙ୍କାର ରାଜପକ୍ଷ ପରିବାର ଓ ଭାରତର କିଛି ବରିଷ୍ଠ ରାଜନେତା ଚିନ୍ତାରେ ପଡ଼ିଯାଇଛନ୍ତି । ସତରେ କ’ଣ ଏଲ୍‌ଟିଟିଇ ପ୍ରତିଷ୍ଠାତା ପ୍ରଭାକରନ୍‌ ବଂଚିଛନ୍ତି । ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ ପରିବାର ପାଇଁ ଭଗବାନ ବୋଲାଉଥିବା ପ୍ରଭାକରନ ପ୍ରତି ଭାରତର ତାମିଲନାଡୁ ଜନତାଙ୍କ ମନରେ ଉଦାର ଭାବନା ରହିଛି । ଶ୍ରୀଲଙ୍କା ସରକାରଙ୍କ ଏଲ୍‌ଟିଟିଇ ବିରୋଧୀ ଅଭିଯାନକୁ ସେନା ସହାୟତା ପ୍ରଦାନ କରି ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରଭାକରନଙ୍କ ଏକନମ୍ବର ଶତ୍ରୁ ପାଲଟିଗଲେ । ଖାସ ସେହି କାରଣରୁ ରାଜୀବ ଗାନ୍ଧୀଙ୍କୁ ଜୀବନ ହରାଇବାକୁ ପଡ଼ିଲା ।

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷଙ୍କ ଅମଳରେ ପ୍ରଭାକରନଙ୍କ ବିରୋଧରେ ଶ୍ରୀଲଙ୍କା ସେନାବାହିନୀ ଜୋରଦାର ଅଭିଯାନ କରିଥିଲା । ସେନାବାହିନୀ ହାତରେ ପ୍ରଭାକରନ ପ୍ରାଣ ହରାଇଛି ବୋଲି ରାଜପକ୍ଷଙ୍କ ଘୋଷଣାରେ ସାରା ବିଶ୍ୱ ହତଚକିତ ହୋଇ ଯାଇଥିଲା । ୨୦୦୯ ପରଠାରୁ ଆନ୍ତର୍ଜାତିକ ସ୍ତରରେ ପ୍ରଭାକରନଙ୍କ ଆଲୋଚନା ଏକପ୍ରକାର ବନ୍ଦ ହୋଇ ଯାଇଥିଲା ।

ମାତ୍ର ତାମିଲନାଡୁ ରାଜନେତା ନେଦୁମାରନଙ୍କ ବୟାନ ଭାରତ ଓ ଶ୍ରୀଲଙ୍କା ସମେତ ବହୁ ଦେଶକୁ ଚିନ୍ତାରେ ପକାଇଲାଣି । ଖୁବ ଶୀଘ୍ର ପ୍ରଭାକରନ ସମସ୍ତଙ୍କ ଆଗରେ ଉଭା ହେବେ ବୋଲି ନେଦୁମାରନ ଦୃଢ଼ତାର ସହ କହିଛନ୍ତି । ଶ୍ରୀଲଙ୍କାର ଆର୍ଥିକ ସଂକଟ ପାଇଁ ସେଠାକାର ଜନତା ରାଜପକ୍ଷ ପରିବାରକୁ ଦାୟୀ କରିଛନ୍ତି । କଥାରେ ଅଛି, ଲୁହା ଗରମ ଥିବ ଯେତେବେଳେ, କମାର ହାତୁଡ଼ିରେ ପାହାର ପକାନ୍ତି ସେତିକିବେଳେ ।

ପ୍ରଭାକରନ ଶ୍ରୀଲଙ୍କା ସରକାରଙ୍କ ପାଇଁ ଖଳନାୟକ ଥିଲା । କିନ୍ତୁ ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ ପରିବାରଙ୍କ ପ୍ରିୟଭାଜନ ଥିଲା । ପ୍ରଭାକରନ ବେକରେ ବିଷାକ୍ତ କ୍ୟାପସୁଲ ରଖିଥିବାର ଆଲୋଚନା କରାଯାଏ । ଶତ୍ରୁଙ୍କ ହାତରେ ଧରାପଡ଼ି କଷ୍ଟ ପାଇବା ପୂର୍ବରୁ ବିଷାକ୍ତ କ୍ୟାପସୁଲ ଖାଇ ମରିଯିବା ଉଚିତ ବୋଲି ପ୍ରଭାକରନ ଭାବୁଥିଲା ।

ରାଜପକ୍ଷଙ୍କ ଘୋଷଣାକୁ ଅଧିକାଂଶ ଲୋକେ ବିଶ୍ୱାସ କରୁ ନଥିଲେ । କିନ୍ତୁ ପ୍ରଭାକରନ ସଂପୂର୍ଣ୍ଣ ନିରବ ରହିବାରୁ ଲୋକମାନେ ରାଜପକ୍ଷଙ୍କ ଘୋଷଣାକୁ ସତ ମଣିଲେ । ପ୍ରଭାକରନଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେଠାକାର ତାମିଲ ପରିବାର ଅସହାୟ ମଣିଲେ । ରାଜପକ୍ଷଙ୍କ ସରକାର ଶ୍ରୀଲଙ୍କାସ୍ଥିତ ତାମିଲ ପରିବାର ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି । ସେନାବାହିନୀର ଲୋଲୁପ ଦୃଷ୍ଟିରେ ପଡ଼ି ଜୀବନ ହରାଇଛନ୍ତି ବହୁ ତାମିଲ ପରିବାରର ଝିଅବୋହୁ ।

ପ୍ରଭାକରନ ବଂଚିଥିଲେ ତାମିଲ ଝିଅବୋହୁଙ୍କ ସମ୍ମାନ ରକ୍ଷା ପାଇଁ ଆତ୍ମପ୍ରକାଶ କରିଥାନ୍ତା ନିଶ୍ଚିତ । କିନ୍ତୁ ରାଜପକ୍ଷଙ୍କ ଘୋଷଣାରେ ଏଲଟିଟିଇ ବିଦ୍ରୋହୀମାନେ ହତାଶ ଅନୁଭବ କରିଥିଲେ । ସଂଗଠନ ମୁଖ୍ୟ ମରିଯିବା ପରେ ଏଲଟିଟିଇ ଗରିଲା ବାହିନୀ ଛତ୍ରଭଙ୍ଗ ଦେଇଥିଲା । ଏବେ ପ୍ରଭାକରନଙ୍କ ଅଭ୍ୟୁଦୟ ଶ୍ରୀଲଙ୍କା ରାଜନୀତିକୁ କୋଉ ଆଡ଼କୁ ନେଉଛି ଦେଖିବାକୁ ବାକି ରହିଲା ।