ଦମ୍‌ ଥିଲେ ମୋତେ ଗିରଫ କର: ମୁଖ୍ୟମନ୍ତ୍ରୀ ସୋରେନ୍‌

ଇଡିକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଚାଲେଞ୍ଜ

ରାଂଚି: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଗ୍ରହଣ କରିବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଇଡି ନିକଟରେ ହାଜର ହୋଇନାହାନ୍ତି । ଇଡିକୁ ଚାଲେଞ୍ଜ କରିଛନ୍ତି ହେମନ୍ତ । ସେ କହିଛନ୍ତି, ଇଡି ଦୃଷ୍ଟିରେ ଯଦି ମୁଁ ଅପରାଧୀ, କାଳବିଳମ୍ବ ନକରି ଆସୁ ମୋତେ ଗିରଫ କରୁ । ଏମିତି ସମନ ପଠାଇ ଅଯଥା ସମୟ ନଷ୍ଟ କରିବା ଦରକାର ନାହିଁ । ରାଂଚିର ମୋହରାବାଦ ନିକଟରେ ଜେଏମ୍‌ଏମ୍‌ କର୍ମୀମାନେ ଏକଜୁଟ ହୋଇ ବିଜେପି ଓ ଇଡି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଜେରା କରିବା ପାଇଁ ଇଡି ସମନ ଜାରି କରିଥିବାରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀମାନେ ତାକୁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି । କର୍ମୀମାନଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ହେମନ୍ତ ଜାତୀୟ ଦଳ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ।

ହେମନ୍ତ କହିଛନ୍ତି, ଆମେ ରାଜ୍ୟ ଭିତରେ ଏପରି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ଠାବ କରିଛୁ ଯୋଉମାନେ ଆଦିବାସୀ ଜନତାଙ୍କ ବିକାଶ ଚାହୁଁନାହାନ୍ତି । ଏ ରାଜ୍ୟରେ କେବଳ ଝାଡ଼ଖଣ୍ଡ ଜନତା ହିଁ ଶାସନ କରିବେ; ବାହାର ଶକ୍ତିର ଦାଦାଗିରି ଚଳିବ ନାହିଁ । ଆସନ୍ତ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିର ଅସ୍ତିତ୍ୱ ଲୋପ ପାଇଯିବ ।

ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରର ବିଜେପି ସରକାରଙ୍କ ଇଶାରାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଜଣେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଛି । ଦଳୀୟ କର୍ମୀଙ୍କ ମନରେ ସାହସ ଭରିବାକୁ ଯାଇ ହେମନ୍ତ କହିଛନ୍ତି, ମୋତେ ବଦନାମ କରିବା ପାଇଁ ବିଜେପି ଯେତେବାର ଷଡ଼ଯନ୍ତ୍ର କରିଛି, ପ୍ରତ୍ୟେକ ଥର ଅପମାନିତ ହୋଇଛି । ମୋତେ କ୍ଷମତାରୁ ହଟାଇବା ସହଜ ନୁହେଁ ।