ଶତ୍ରୁକୁ ଆକାଶରୁ ଘଉଡ଼ାଇବ ଆମ ଇଂଟରସେପ୍ଟର

ନୂଆଦିଲ୍ଲୀ: ଭାରତ ତିଆରି କରିଛି ତା’ର ରକ୍ଷାକବଚ । ଭୂପୃଷ୍ଠରୁ ପ୍ରାୟ ଶହେ କିମି ଉଚ୍ଚରେ ଶତ୍ରୁ ପକ୍ଷରୁ ଆସୁଥିବା ମିସାଇଲ୍‌କୁ ସଂପୂର୍ଣ୍ଣ ନଷ୍ଟ କରିବା ପାଇଁ ଆମେ ତିଆରି କରିଛୁ ଶକ୍ତିଶାଳୀ ଇଂଟରସେପ୍ଟର ଏଡି୧ । ବାଲିଷ୍ଟିକ୍‌ ମିସାଇଲ୍‌ ସିଷ୍ଟମକୁ କଡ଼ା ଜବାବ ଦେବାପାଇଁ ଭାରତ ନିଜକୁ ପ୍ରସ୍ତୁତ କରିପାରିଛି । ଶତ୍ରୁପକ୍ଷର ଲଢୁଆ ବିମାନ ଓ ମିସାଇଲକୁ ଉଡ଼ାଇ ଦେବା ପାଇଁ ଆମେ ଆମ ପ୍ରତିରକ୍ଷା କ୍ଷେତ୍ରକୁ ‘ନେକ୍ଟ ଲେବଲ’ ପର୍ଯ୍ୟନ୍ତ ନେଇପାରିଛୁ । ପାକିସ୍ତାନ ଓ ଚୀନ ତିଆରି ବାଲିଷ୍ଟିକ୍‌ ମିସାଇଲ ଓ ଲଢୁଆ ବିମାନକୁ ଦୃଷ୍ଟିରେ ରଖି ଆମେ ଆମର ଦକ୍ଷତାକୁ ବୃଦ୍ଧି କରିଛୁ ।

ଇଂଟରସେପ୍ଟର ଏଡି-୧ ଏକ ଦୂରଗାମୀ ଇଂଟରସେପ୍ଟର ଯାହା ଦୂର ଆକାଶରୁ ଭାରତ ଆଡ଼କୁ ମାଡ଼ି ଆସୁଥିବା ଶକ୍ତିଶାଳୀ ମିସାଇଲ ଓ ଜେଟ୍‌କୁ ବାୟୁମଣ୍ଡଳରେ ନଷ୍ଟ କରିପାରିବ । ଏପରିକି ପୃଥିବୀ ବାୟୁମଣ୍ଡଳ ବାହାରେ ଭାରତ ଆଡ଼କୁ ଆସୁଥିବା ରକେଟ୍‌ ଓ ଜେଟ୍‌ର ଅବସ୍ଥିତି ଜାଣିବାର ଶକ୍ତି ଇଂଟରସେପ୍ଟର ଏଡି-୧ ନିକଟରେ ରହିଛି । ନିକଟ ଅତୀତରେ ଏହି ଇଂଟରସେପ୍ଟରକୁ ଓଡ଼ିଶା ତଟରେ ଠିଆ ହୋଇଥିବା ଅବଦୁଲ କଲାମ ମିସାଇଲ୍‌ ପରୀକ୍ଷଣ ଘାଟିରେ ପରୀକ୍ଷଣ କରାଯାଇଛି ।

ରାତିର ବହଳ ଅନ୍ଧକାର ଭିତରେ ଶତ୍ରୁକୁ ଠଉରାଇ ଠିକଣା ଜବାବ ଦେଇପାରିବ ଆମ ଇଂଟରସେପ୍ଟର । ଦେଶର ବିଭିନ୍ନ ସ୍ଥାନରେ ରହିଥିବା ରକେଟ୍‌ ମୁକାବିଲା ସିଷ୍ଟମରେ ବ୍ୟବହୃତ ଯନ୍ତ୍ରାଂଶକୁ ବିନିଯୋଗ କରାଯାଇଛି । ଦେଶର ସବୁ ସ୍ଥାନରେ ଇଂଟରସେପ୍ଟର ଲଗାଇ ଶତ୍ରୁକୁ ଉଚିତ ଜବାବ ଦେଇଛୁ । ଆକାଶ ମାର୍ଗରୁ ଶତ୍ରୁର ଶକ୍ତିକୁ କଳନା କରି ଆମ ଇଂଟରସେପ୍ଟର ସେହି ଅନୁସାରେ ପରାକ୍ରମ ଦେଖାଇବ ।