ପଳାତକ ବିଜୟ ମାଲ୍ୟାଙ୍କୁ ଝଟ୍‌କା

ନୂଆଦିଲ୍ଲୀ: ଭାରତର ବହୁ ବ୍ୟବସାୟିକ ବ୍ୟାଙ୍କରୁ ବିପୁଳ ଋଣ କରି ବିଦେଶ ପଳାୟନ କରିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ମାମଲା ଲଢ଼ିବା ପାଇଁ ଜଣେ ଆଇନଜୀବୀ ମନା କରି ଦେଇଛନ୍ତି । ଏହି ଘଟଣାଟି ବିଜୟ ମାଲ୍ୟାଙ୍କୁ ଶକ୍ତ ଚାପୁଡ଼ା ଖାଇଲା ଭଳି ଲାଗିଛି । ସାଧାରଣତଃ ତାଙ୍କ ସହିତ ବ୍ୟବସାୟିକ ସଂପର୍କ ରଖିବା ଭାଗ୍ୟର କଥା ବୋଲି ଅଧିକାଂଶ ଲୋକ ଭାବନ୍ତି । ତାଙ୍କର ବିଳାସମୟ ଜୀବନଯାପନ ଅନେକଙ୍କୁ ପ୍ରଭାବିତ କରିଥାଏ । ମାତ୍ର ଭାରତ ସରକାର ତାଙ୍କୁ ପଳାତକ ଘୋଷିତ କରିବା ପରେ ବିଜୟ ମାଲ୍ୟା ଭାରତ ପାଇଁ ଖଳନାୟକ ପାଲଟି ଯାଇଛନ୍ତି ।

ମାଲ୍ୟାଙ୍କୁ ଭାରତ ଆଣିବା ପ୍ରକ୍ରିୟା କ୍ରମେ ଲମ୍ବିଚାଲିଛି । ଦୁଇବର୍ଷ ହୋଇଗଲାଣି ତାଙ୍କର ପ୍ରତ୍ୟର୍ପଣ ମାମଲା ଆଗକୁ ବଢ଼ିବାର ନାଁ ଧରୁନି । ଆଇନ କାନୁନର ଗୋଲକଧନ୍ଦାରେ ଫସିଯାଇଛି ପ୍ରତ୍ୟର୍ପଣ ମାମଲା । ଇତିମଧ୍ୟରେ ସୁପ୍ରିମକୋର୍ଟରେ ବିଜୟ ମାଲ୍ୟାଙ୍କ ନାମରେ ଆଉ ଗୋଟିଏ ମାମଲାର ବିଚାର ଚାଲିଛି । ଉକ୍ତ ମାମଲାକୁ ପରିଚାଳନା କରୁଥିବା ମାଲ୍ୟାଙ୍କ ଓକିଲ ଏବେ ମହକିଲ ମାଲ୍ୟାଙ୍କ ପାଇଁ ଲଢ଼ିବାକୁ ମନା କରିଛନ୍ତି । ସଂପୃକ୍ତ ଓକିଲ ବିଚାରପତିଙ୍କୁ କହିଛନ୍ତି ଯେ ବିଜୟ ମାଲ୍ୟାଙ୍କ ସହିତ କୌଣସି ମତେ ସଂପର୍କ ରକ୍ଷା କରିହେଉନି । ତାଙ୍କର କୌଣସି ଫୋନ୍‌ କଲ୍‌ ଆସୁନି କି ତାଙ୍କ ସହିତ ଯୋଗାଯୋଗ କରିବା ସମ୍ଭବ ହେଉ ନଥିବାରୁ ଆଉ ମାମଲା ଲଢ଼ି ପାରିବେନି ।

ପ୍ରକୃତ ଘଟଣା ହେଉଛି, ମୁଦ୍ରା ବିନିମୟକୁ କେନ୍ଦ୍ର କରି ବିଜୟ ମାଲ୍ୟା ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟରେ ଏକ ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ମାଲ୍ୟାଙ୍କ ପାଇଁ ଓକିଲ ଇସି ଅଗ୍ରୱାଲ ଉକ୍ତ ମାମଲାକୁ ପରିଚାଳନା କରୁଥିଲେ । କିନ୍ତୁ ଏବେ ସେ ଆଉ ମାଲ୍ୟାଙ୍କ ମାମଲା ଲଢ଼ିବାକୁ ମନା କରି ଦେଇଛନ୍ତି । ଜଷ୍ଟିସ୍‌ ଚନ୍ଦ୍ରଚୁଡ଼ ଓ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ ଓକିଲ ଅଗ୍ରୱାଲ କହିଛନ୍ତି, ବିଜୟ ମାଲ୍ୟାଙ୍କ ଏବେ ବ୍ରିଟେନରେ ଅଛନ୍ତି ବୋଲି ଗଣମାଧ୍ୟମ ସୂତ୍ରରୁ ଜାଣିବାକୁ ପାଉଛି । କିନ୍ତୁ ତାଙ୍କ ସହିତ ଫୋନ୍‌ରେ ଯୋଗାଯୋଗ ସଂପର୍କ ସମ୍ଭବ ହୋଇପାରୁନି । ମୋ ପାଖରେ ତାଙ୍କର ଇ-ମେଲ ଠିକଣା ଛଡ଼ା ଆଉ କିଛି ନାହିଁ । ତେଣୁ ତାଙ୍କ ପକ୍ଷରୁ ମାମଲା ଲଢ଼ିବା ଆଉ ସମ୍ଭବ ନୁହେଁ । ମୋତେ ମୁକ୍ତି ଦିଅନ୍ତୁ ।