ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ମାରିବା ପାଇଁ ଉଦ୍ୟମ କରାଯାଇଛି । ଅଜଣା ଲୋକଙ୍କ ଗୁଳିମାଡ଼ରେ ଇମ୍ରାନ୍‌ ଆହତ ହୋଇଛନ୍ତି । ତାଙ୍କୁ ମାରିବା ପାଇଁ କିଛି ସଂଗଠନ ଷଡ଼ଯନ୍ତ୍ର କରୁଥିବା ସଂପର୍କରେ ସେ ପୂର୍ବରୁ ଗଣମାଧ୍ୟମ ଆଗରେ କହିଥିଲେ । ଇମ୍ରାନଙ୍କ ସହିତ ଆଉ ଚାରିଜଣ ଲୋକଙ୍କୁ ଗୁଳି ବାଜିଛି । ପୁଲିସ ଜଣକୁ ଧରି ପଚରା ଉଚରା କରୁଛି । ଅନ୍ୟ ପକ୍ଷରେ ଗୁଳିମାଡ଼ ପାଇଁ ଇମ୍ରାନ୍‌ ଶାସକ ଦଳକୁ ଦାୟୀ କରିଛନ୍ତି ।

ସେ କହିଛନ୍ତି, ମୋ ମୁହଁ ବନ୍ଦ କରିବା ପାଇଁ ଶାସକ ଦଳ ପକ୍ଷରୁ ଯଥାଶକ୍ତି ଉଦ୍ୟମ ଚାଲିଛି । ପାକିସ୍ତାନ ଜନତାଙ୍କ ସ୍ୱାର୍ଥ ପାଇଁ ମୁଁ ବଳିଦାନ ପାଇଁ ପ୍ରସ୍ତୁତ । ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ହୀନ ଚକ୍ରାନ୍ତରେ ପାକିସ୍ତାନ ଜନତାଙ୍କୁ ଫସିବାକୁ ଦେବି ନାହିଁ ।

ଏକ ପ୍ରତିବାଦ ସଭାରେ ଇମ୍ରାନ ଉଦ୍‌ବୋଧନ ଦେଉଥିବା ସମୟରେ ଗୁଳିକାଣ୍ଡର ଶିକାର ହୋଇଥିଲେ । ଆହତ ଇମ୍ରାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଶାସକ ଦଳ ବିରୋଧରେ ଇମ୍ରାନ୍‌ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛନ୍ତି । ରାଜକୋଷରୁ ଅର୍ଥ ତୋଷରପାତ କରିଥିବା ଅଭିଯୋଗରେ ଇମ୍ରାନଙ୍କୁ ଦୋଷୀ କରାଯାଇଛି । ଗୁଳିକାଣ୍ଡରେ ପୂର୍ବତନ ରାଜ୍ୟପାଳ ଇମ୍ରାନ୍‌ ଇସ୍‌ମାଇଲ୍‌ ମଧ୍ୟ ଆହତ ହୋଇଛନ୍ତି ।