ରାଜସ୍ଥାନରେ ଭଜନଲାଲ ଯୁଗ ଆରମ୍ଭ

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସରିଲା ଶପଥ ସମାରୋହ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭଜନଲାଲ ଶର୍ମା । ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦୀୟା କୁମାରୀ ଓ ଡକ୍ଟର ପ୍ରେମଚାନ୍ଦ ବୈରବା ।

ତିନିଜଣଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ କଲରାଜ ମିଶ୍ର ।

ଶପଥ ସମାରୋହରେ ଯୋଗଦାନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବସୁନ୍ଧରା ରାଜେ ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ବେଶ ହସଖୁସିରେ ମାତିଥିଲେ ।

ଆଲବର୍ଟ ହଲରେ ତିନୋଟି ମଂଚ ତିଆରି କରାଯାଇଥିଲା । ଗୋଟିଏ ମଂଚରେ ସାଧୁସନ୍ଥ ଗୋଷ୍ଠୀ ବିରାଜମାନ କରିଥିଲେ । ଆଉ ଗୋଟିଏ ମଂଚରେ ବିଶିଷ୍ଟ ରାଜନେତାମାନେ ବସିଥିଲେ । ତୃତୀୟ ମଂଚରେ ଶପଥ ସମାରୋହ ଚାଲିଥିଲା । ଉକ୍ତ ମଂଚରେ ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟପାଳ ଓ ଶପଥ ଗ୍ରହଣ କରିଥିବା ତିନିଜଣ ନେତା ବସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଛୋଟି ନେଇଥିଲେ ସାଧୁସନ୍ଥ ମହଲ ।