ବାଣ ବିସ୍ଫୋରଣ, ୭ ମୃତ

ଚେନ୍ନାଇ: ତାମିଲନାଡ଼ୁର କୁଡାଲୋର ସ୍ଥିତ ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣର କାରଣ କଣ ଜଣାପଡ଼ିନଥିବା ବେଳେ କାରଖାନାର କୋଠା ସମ୍ପୁର୍ଣ୍ଣ ଧ୍ୱସଂ ହୋଇଛି। ଘଟଣାସ୍ଥଳରୁ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରିଛି ପୋଲିସ।

ଚେନ୍ନାଇ ଠାରୁ ୧୯୦ କିମି ଦୂର କୁଡାଲୋର ଜିଲ୍ଲା କାଟ୍ଟୁମାନ୍ନାରକୋଲ୍ ଠାରେ ଏହି ଘଟଣା ଘଟିଛି। କୋଭିଡ଼ ସକାଶେ କାରଖାନା ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବେଳେ ଏବେ କଟକଣ ହଟିବାରୁ ପୁଣି ଖୋଲିଥିଲା। ଆଗକୁ ଦୀପାବଳୀ ଆସୁଥିବାରୁ ଜୋରସୋରରେ କାମ ଆରମ୍ଭ ହୋଇଥିଲା। ତେବେ ଅଘଟଣ ସମ୍ପୁର୍ଣ୍ଣ କାରଖାନା ଧ୍ୱସଂ କରିବା ସହ ୭ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରେ ଶ୍ରମିକଙ୍କ ସହ କାରଖାନା ମାଲିକ ରହିଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ। ଏପଟେ କାରଖାନାଟିକୁ ସରକାରୀ ଲାଇସେନ୍ସ ମିଳିଥିବା କୁଡାଲୋର ଏସପି ଶ୍ରୀ ଅନୁଭବ କହିଛନ୍ତି। ତେବେ ଏଠାରେ କେବଳ ବାଣ ନା ଦେଶୀ ବୋମା ବି ତିଆରି ଚାଲିଥିଲା ଏନେଇ ତଦନ୍ତ କରାଯିବ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଙ୍କ ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି।