ରୈନାଙ୍କ ପରେ ଆଇପିଏଲରୁ ଓହରିଲେ ଭଜି

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସକୁ ପୁଣି ଏକ ଝଟକା ଲାଗିଛି। ସୁରେଶ ରୈନାଙ୍କ ଭଳି ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରୁ ଓହରିଛନ୍ତି ହରଭଜନ ସିଂ। ତିନି ଥର ଆଇପିଏଲ ଚାମ୍ପିୟନ ହୋଇଥିବା ସିଏସକେ ଟିମ୍ ପାଇଁ ଏହା ଭଲ ଆରମ୍ଭ ନୁହେଁ ବୋଲି ଅନେକେ କହିଲେଣି।

ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂ ସିଏସକେ ଟିମ୍ ସହ ୟୁଏଇ ଯାତ୍ରା କରିନଥିଲେ। ସେବେଠାରୁ ହିଁ ସେ ଆଇପିଏଲ ଖେଳିବେ ନା ନାଇଁ ଏନେଇ ସଂଶୟରେ ଥିଲେ ପ୍ରଶଂସକ। ଭଜି ନ ଖେଳିଲେ ବି ସିଏସକେ ପାଖରେ ଇମ୍ରାନ୍ ତାହିର, ପିୟୁଷ ଚାୱଲା ଏବଂ ମିଚେଲ୍ ସାଣ୍ଟନରଙ୍କ ଭଳି ସ୍ପିନର ରହିଛନ୍ତି। ତେବେ ଭଜିଙ୍କ ବଡ଼ ଅଭିଜ୍ଞତାକୁ ସିଏସକେ ହରାଇବ।

ଭଜି ଟ୍ୱିଟରରେ ଲେଖିଛନ୍ତି ଯେ, ପ୍ରିୟ ବନ୍ଧୁଗଣ, ବ୍ୟକ୍ତିଗତ କାରଣ ହେତୁ ମୁଁ ଚଳିତ ବର୍ଷ ଆଇପିଏଲ୍ ଖେଳିବି ନାହିଁ । ଏହା କଷ୍ଟକର ସମୟ ଏବଂ ମୁଁ ମୋ ପରିବାର ସହିତ ସମୟ ବିତାଇବା ସହିତ କିଛି ଗୋପନୀୟତା ଆଶା କରିବି। ସିଏସକେ ପରିଚାଳନା ସଦସ୍ୟ ଅତ୍ୟନ୍ତ ସହାୟକ ହୋଇଛନ୍ତି ଏବଂ ମୁଁ ସେମାନଙ୍କ ଭଲ ଆଇପିଏଲ୍ ପ୍ରଦର୍ଶନ କାମନା କରୁଛି | ସୁରକ୍ଷିତ ରୁହନ୍ତୁ ଏବଂ ଜୟ ହିନ୍ଦ।

ସୂଚନାଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ ୧୬୦ ଟି ଆଇପିଏଲ୍ ମ୍ୟାଚ୍ ଖେଳି ହରଭଜନ ସିଂ ୧୫୦ଟି ୱିକେଟ ଅକ୍ତିଆର କରିଛନ୍ତି। ଗୋଟିଏ ଅର୍ଦ୍ଧଶତକ ସହ ସେ ୮୨୯ ରନ୍ ମଧ୍ୟ ସ୍କୋର କରିଛନ୍ତି।