‘ମୁମ୍ବାଇ ମୋତେ ପିଓକେ ଭଳି ଲାଗିଲାଣି’

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଶିବସେନା ମଧ୍ୟରେ ଏବେ ଆରମ୍ଭ ହୋଇଯାଇଛି ସୋସିଆଲ ମିଡିଆ ୱାର୍। ସୁଶାନ୍ତ ସିଂ ରାଜପୁତ ଘଟଣାରେ ଆରମ୍ଭରୁ ମୁମ୍ବାଇ ପୋଲିସକୁ ସମାଲୋଚନା କରିଆସୁଥିବା କଙ୍ଗନା। ଯାହା କି ମହାରାଷ୍ଟ୍ର ସରକାର ଓ ଶିବସେନାର ନେତାମାନଙ୍କୁ ପସନ୍ଦ ଆସିନି।

କଙ୍ଗନା କିଛି ଦିନ ତଳେ ଟ୍ବିଟ୍ କରିଥିଲେ କି ସେ ଫିଲ୍ମ ମାଫିଆଙ୍କୁ ନୁହେଁ ବରଂ ମୁମ୍ବାଇ ପୋଲିସକୁ ଡରୁଛନ୍ତି। ଘଟଣା ଥିଲା କିଛି ଏପରି। କଙ୍ଗନା ଡ୍ରଗ୍ସ ମାଫିଆଙ୍କ ଗୁମର ଖୋଲୁଥିବା ବେଳେ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଜଣେ ବିଜେପି ବିଧାୟକ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିଥିଲେ। ତେବେ କଙ୍ଗନା ବିଧାୟକ ଜଣଙ୍କୁ ଧନ୍ୟବାଦ ଦେବାସହ ତାଙ୍କର ଫିଲ୍ମ ମାଫିଆଙ୍କ ଅପେକ୍ଷା ମୁମ୍ବାଇ ପୋଲିସ ପ୍ରତି ବେଶି ଡର ଥିବା କହିଥିଲେ। ଏପରିକି ସେ ମୁମ୍ବାଇ ପୋଲିସ ବଦଳରେ ହିମାଚଳ ପ୍ରଦେଶ ସରକାର କି ସିଧା ସଳଖ କେନ୍ଦ୍ର ଠାରୁ ସୁରକ୍ଷା ଚାହିଁବେ ବୋଲି କହିଥିଲେ।

କଙ୍ଗନାଙ୍କ ଏହି ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ୍ ଦେଶମୁଖ ତାଙ୍କର ମୁମ୍ବାଇରେ ରହିବାର କୌଣସି ଅଧିକାର ଆଉ ନାହିଁ ବୋଲି କହିଥିଲେ। ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ କି ମୁଁ କଙ୍ଗନାକୁ ଅନୁରୋଧ କରୁଛି ସେ ଆଉ ମୁମ୍ବାଇ ନଆସନ୍ତୁ। ଉଭୟେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଏତେ ସବୁ ଶୁଣି ସାରିବା ପରେ ମୁମ୍ବାଇ ପିଓକେ ଭଳି ଅନୁଭବ ହେଲାଣି ବୋଲି କଙ୍ଗନା କହିଛନ୍ତି। ସେ କହିଛନ୍ତି କି ମହାରାଷ୍ଟ୍ର ପ୍ରତି ଏତେ ପ୍ରେମ ଦର୍ଶାଉଥିବା ଲୋକ ଜାଣିବା ଉଚିତ୍ କି ମରାଠାର ଗର୍ବ ଶିବାଜୀ ମହାରାଜ ଏବଂ ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଫିଲ୍ମ କରିଥିବା ହିନ୍ଦୀ ସିନେମା ଇତିହାସରେ ମୁଁ ପ୍ରଥମ ଅଭିନେତ୍ରୀ/ନିର୍ଦ୍ଦେଶିକା। ସିନେମା ମୁକ୍ତିଲାଭ କରିବା ସମୟରେ ମଧ୍ୟ ସମାନ ଲୋକ ମୋତେ ବିରୋଧ କରିଥିଲେ। ସେ ଏଭଳି ତାଲିବାନି ଧମକକୁ ନିନ୍ଦା କରିଛନ୍ତି।