ଜାତୀୟ ରାଜପଥ ଉପରେ ଜଳିଗଲା ବସ, ୨ ମହିଳାଙ୍କ ସମେତ ୫ ଯାତ୍ରୀ ଆହତ

ରାୟପୁର: ଜାତୀୟ ରାଜପଥ ଉପରେ ଜଳିଗଲା ବସ | ଛତିଶଗଡ଼ରେ ଏଭଳି ଘଟଣା ଘଟିଛି | ଏହି ଘଟଣାରେ ୨ ମହିଳାଙ୍କ ସମେତ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ବସଟି ଜଗଦଲପୁରଠାରୁ ରାୟପୁର ଯାଉଥିଲା। ଘରୋଇ ବସରେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ। ତେବେ ଛତିଶଗଡର କେଶକାଲ ନିକଟରେ ବସରୁ ଧୂଆଁ ବାହାରୁଥିବାର ଦେଖି ଡ୍ରାଇଭର ଗାଡି ଅଟକାଇ ଯାତ୍ରୀଙ୍କୁ ଖବର ଦେଇଥିଲେ |

ଏହାପରେ ଯାତ୍ରୀମାନେ ଝରକା ଭାଙ୍ଗି ବାହାରିଆସିଥିଲେ |ତେବେ ଏହାପରେ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା | ଏହି ଘଟଣାରେ ୨ ଜଣ ମହିଳାଙ୍କ ସମେତ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି | ଏବାବଦରେ ସୂଚନା ପାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ଯାତ୍ରୀମାନଙ୍କୁ ଉଦ୍ଧାର କରି

ଡାକ୍ତରଖାନାକୁ ପଠାଇଛି | ଏହାପରେ ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲା | ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ସର୍ଟସର୍କିଟ ଯୋଗୁଁ ଏଭଳି ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି | ତେବେ ଏହି ନିଆଁ ଏତେ ଜୋରରେ ଲାଗିଥିଲା ଯେ ଲୋକମାନେ ବସରୁ ସେମାନଙ୍କ ଜିନିଷ କାଢି ପାରିନଥିଲେ |