ବିକଶିତ ଓଡ଼ିଶା: ମାଟି ପାଣି ପବନକୁ ପିଡିଏସ ଚାଉଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ଶାସନର ଉଦାହରଣ ଉଦଳା ଜଙ୍ଗଲରେ ଦେଖିବାକୁ ମିଳିଛି । ବିକାଶ ଆଡକୁ ଧାଉଁଥିବା ରାଜ୍ୟକୁ ଏତେ ପରିମାଣର ପିଡିଏସ ଚାଉଳ ମିଳୁଛି ଯେ ଗରିବ ଜନତାଙ୍କ ସାଙ୍ଗକୁ ଓଡ଼ିଶାର ମାଟି ପାଣି ପବନକୁ ମଧ୍ୟ  ପିଡିଏସ୍‌ ଚାଉଳ ବିତରଣ କରାଯାଉଛି ।

ସାଧାରଣ ଜନତା ଅଭିଯୋଗ କରୁଛନ୍ତି ଯେ ଖାଉଟିଙ୍କ ପାଇଁ ଉଦ୍ଦିଷ୍ଟ ପିଡିଏସ ଚାଉଳକୁ ଉଦଳା ଜଙ୍ଗଲରେ ପକାଇ ଦିଆଯାଇଛି । ପିଡିଏସ ଚାଉଳ ପକାଇବା ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । କୋଉ କଂଟ୍ରୋଲ ଦୋକାନୀ ଗୋଦାମରୁ ବସ୍ତା ବସ୍ତା ପିଡିଏସ ଚାଉଳ ଯୋଗାଇ ଦିଆଯାଇଛି ଉଦଳା ଜଙ୍ଗଲକୁ; ତାର ତଦନ୍ତ ଜରୁରୀ ହୋଇପଡ଼ିଛି ।

ସୂଚନା ମୁତାବକ ଉଦଳା ଅଂଚଳର ବହୁବନ୍ଧ ପଟାସ ଜଙ୍ଗଲରେ ବହୁତ ଚାଉଳ ବସ୍ତା ରଖା ଯାଇଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଗ୍ରାମବାସୀ । ସରକାରୀ ମୋହର ଲଗା ଚାଉଳ ବସ୍ତାଗୁଡ଼ିକ ବୁଦା ଉହାଡକୁ କିପରି ଆସିଲା; ତାହା ଜାଣିବାକୁ ଲୋକମାନେ ଉଦ୍ୟମ କରିବାରୁ ସେମାନଙ୍କ ଆଖିରେ ଧରା ପଡ଼ିଗଲେ ଦୁଇଜଣ ଯୁବକ । ଦୁଇ ଯୁବକ ଗୋଟିଏ ବାଇକରେ ଚାଉଳ ବସ୍ତାଟିଏ ଲଦୁଥିଲେ । ଗ୍ରାମବାସୀ ଦୁଇ ଯୁବକଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି ।