କଳାଧନ ଓ ବିମୁଦ୍ରାୟନକୁ ନେଇ ଧୀରଜ ସାହୁ କରିଥିବା ୫ଟି ଟୁଇଟ ହେଲା ଭାଇରାଲ

ଭୁବନେଶ୍ବର/ବଲାଙ୍ଗୀର: ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ କମ୍ପାନି ସାହୁ ଗ୍ରୁପ ବିରୋଧରେ ଆୟକର ଚୋରିର ଅଭିଯୋଗ ଲାଗିଛି। ଏହାକୁ ନେଇ ଆୟକର ବିଭାଗର ଅଧିକାରୀମା‌ନେ ଝାଡଖଣ୍ଡ ଓ ଓଡ଼ିଶାର ଅନେକ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଆୟକର ବିଭାଗ ପକ୍ଷରୁ ୫ଦିନ ଧରି ଚଢ଼ଉ ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଆୟକର ବିଭାଗ ଏହି ଘଟଣାର ଯାଞ୍ଚ ଜାରି ରଖିଥିବା ବେଳେ ଧୀରଜ ସାହୁଙ୍କ କିଛି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭାଇରାଲ ଭିଡିଓରେ ଧୀରଜ କଳାଧନା ଓ ଦୁର୍ନୀତି ଘଟଣାକୁ କେନ୍ଦ୍ର କ‌ରି ମୋଦୀଙ୍କୁ କଟାକ୍ଷ କରିଥିବା ଜଣାପଡ଼ିଛି। ବିଜେପି ଧୀରଜ ସାହୁଙ୍କ ଏସବୁ ଟୁଇଟକୁ ସେୟାର କରି କଂଗ୍ରେସକୁ କଡ଼ା ସମାଲୋଚନା କରିଛି।

ମୋଦୀଙ୍କୁ ଆ‌‌‌କ୍ଷେପ କରି କରିଥିବା ଟୁଇଟରେ ଧୀରଜ କହିଥିଲେ,‘ ବିମୁଦ୍ରାୟନ ପରେ ଦେଶରେ ଏତେମାତ୍ରାରେ କଳାଧନ ଥିବା ଦେଖି ମନ ବିଚଳିତ ହୋଇପଡ଼ୁଛି। ମୁଁ ତ ବୁଝି ପାରୁନି ଲୋକେ କଳାଧନ କେଉଁଠୁ ଆଣନ୍ତି ଓ ତାକୁ କେଉଁ ଉପାୟରେ ରଖନ୍ତି। ଦେଶରେ ଚାଲିଥିବା ଦୁର୍ନୀତିକୁ ମୂଳରୁ ଶେଷ କେବଳ କଂଗ୍ରେସ ଦଳ ହିଁ କରି ପାରିବ।’

ଧୀରଜ ୨୦୨୧ ନଭେମ୍ବର ୮ ତାରିଖରେ କରିଥିବା ଏକ ଟୁଇଟରେ ଲେଖିଥିଲେ, ‘ବିମୁଦ୍ରାୟନ ଭାରତର ଅର୍ଥବ୍ୟବସ୍ଥାର ଅଣ୍ଟାକୁ ଭାଙ୍ଗି ଦେଇଛି। ବିମୁଦ୍ରାୟନ ଗୋଟିଏ ଲକ୍ଷ୍ୟକୁ ପୂରା କରିବା ପାଇଁ ଦେଶର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିବାର କାମ କରିଛି।’

ସେହିପରି ଧୀରଜ କହିଥିଲେ, ‘ବିମୁଦ୍ରାୟନକୁ ନେଇ ବଡ଼ବଡ଼ ଦାବି କରାଯାଇଥିଲା। କିନ୍ତୁ ଆରବିଆଇ ପକ୍ଷରୁ ସୂଚନା ମିଳିଥିଲା କି ବ୍ୟାଙ୍କରେ ଜମା ହୋଇଥିବା ୫୦୦ଟଙ୍କିଆ ନୋଟ ୧୦୧.୯ ପ୍ରତିଶତ ଓ ୨୦୦୦ଟଙ୍କିଆ ୫୪.୧୬ ପ୍ରତିଶତ ନକଲି ଥିଲା। ଏହି ସୂଚନା ସରକାରଙ୍କ ଦାବି ଉପରକୁ ପରଦା ଉଠାଇବା ଓ ସତକୁ ସାମ୍ନାକୁ ଆଣିବା ପାଇଁ ଯଥେଷ୍ଟ ପ୍ରମାଣ ଥିଲା।