ବନ୍ଦେଭାରତ ରାସ୍ତା ଓଗାଳୁଛନ୍ତି ମଇଁଷି, ଗାଈ, ବଳଦ

ଟ୍ରେନଟିର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା….

ନୂଆଦିଲ୍ଲୀ: ଶନିବାର ସକାଳ ୮ଟା ୧୭ ମିନିଟରେ ବୁଲେଟ୍‌ ଟ୍ରେନ୍‌ ବନ୍ଦେଭାରତ ଗୋଟିଏ ବଳଦକୁ ବଳି ପକାଇଛି । ଟ୍ରେନଟି ମୁମ୍ବାଇରୁ ଗାନ୍ଧୀନଗର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଗୁଜରାଟର ଅତୁଲ ରେଳଷ୍ଟେସନ୍‌ ନିକଟରେ ଗୋଟିଏ ବଳଦ ରେଳଧାରଣା ଉପରକୁ ମାଡ଼ି ଆସିଥିଲା । ବଳଦ ମାଡ଼ରେ ଟ୍ରେନଟିର ସମ୍ମୁଖ ଭାଗଟି ନଷ୍ଟ ହୋଇଯାଇଛି । ଟ୍ରେନଟି ଦୁର୍ଘଟଣାସ୍ଥଳରେ ପ୍ରାୟ ୨୬ ମିନିଟ୍‌ ଅଟକି ରହିବା ପରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା । ଅକ୍ଟୋବର ମାସ ଭିତରେ ବନ୍ଦେଭାରତ ତୃତୀୟ ଥର ପାଇଁ ଦୁର୍ଘଟଣାର ଶିକାର ହୋଇଛି ।

ରିପୋର୍ଟ ମୁତାବକ ୨୨ ଦିନ ତଳେ ୭ ଅକ୍ଟୋବର ଦିନ ଟ୍ରେନଟି ଗାନ୍ଧୀନଗର ଯାଉଥିବା ବାଟରେ ବଡେ଼ାଦରାର ଆନନ୍ଦ ଷ୍ଟେସନ ନିକଟରେ ଗୋଟିଏ ଗାଈ ଟ୍ରାକ୍‌ ଉପରକୁ ମାଡ଼ି ଆସିଥିଲା । ଫଳରେ ଟ୍ରେନଟିର ସମ୍ମୁଖ ଭାଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ୧୦ ମିନିଟ୍‌ ପାଇଁ ଟ୍ରେନଟି ଅଟକି ରହିବା ପରେ ଯାତ୍ରାରମ୍ଭ କରିଥିଲା ।

୬ ଅକ୍ଟୋବର ଦିନ ବନ୍ଦେଭାରତ ଏକ୍ସପ୍ରେସ୍‌ ଅହମ୍ମଦାବାଦ ରେଳ ଷ୍ଟେସନ ନିକଟରେ ମଇଁଷି ଦଳକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଚାରିଟି ମଇଁଷି ପ୍ରାଣ ହରାଇଲେ । ଟ୍ରେନଟିର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା । ମୃତ ମଇଁଷିଙ୍କୁ ଟ୍ରାକ୍‌ ଉପରୁ ହଟାଯିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଆରପିଏଫ୍‌ ପକ୍ଷରୁ ମଇଁଷି ମାଲିକଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

୮ ଅକ୍ଟୋବରରେ ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ବନ୍ଦେଭାରତ ଏକ୍ସପ୍ରେସଟିର ଚକାଜାମ୍‌ ହୋଇଗଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଟ୍ରେନଟି ପ୍ରାୟ ୫ ଘଂଟା ପାଇଁ ଖୁର୍ଜା ଷ୍ଟେସନ୍‌ରେ ଅଟକି ରହିଲା । ଉକ୍ତ ଟ୍ରେନର ଯାତ୍ରୀମାନଙ୍କୁ ଶତାବ୍ଦୀ ଏକ୍ସପ୍ରେସ ଜରିଆରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଥିଲା ।