କମେଂଟମରାକୁ ପ୍ରତିବାଦ, ଛୁରାମାଡ଼ରେ ମଲେ ନାବାଳକ

ସଂପୃକ୍ତ ଗଳିରେ ତିନିଜଣ ନାବାଳକ ଧସ୍ତାଧସ୍ତି ହେଉଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀର ପଟେଲ ନଗରର ଘଟଣା । ନାବାଳକ ଭଉଣୀ ରାସ୍ତାରେ ଯାଉଥିବା ସମୟରେ ଦୁଇଜଣ ନାବାଳକ ତାଙ୍କୁ କମେଂଟ ମାରିବା ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ବିଚାରୀ ଭଉଣୀ ଘରକୁ ଯାଇ ତା’ର ନାବାଳକ ଭାଇ ଆଗରେ କାନ୍ଦିକାନ୍ଦି ସବୁ ଶୁଣାଇଲା । ପରଦିନ ଭାଇଭଉଣୀ ଦୁହେଁ ସେହି ବାଟ ଦେଇ ଗଲାବେଳେ ପୂର୍ବର ଦୁଇ ନାବାଳକ ସେମାନଙ୍କ ନିକଟରେ ପହଂଚି ଭଉଣୀକୁ କମେଂଟ ମାରିଲେ । ‘କ’ଣ ପାଇଁ ମୋ ଭଉଣୀକୁ କମେଂଟ ମାରୁଛ’ କହି ନାବାଳକ ଭାଇଜଣକ ପ୍ରତିବାଦ କରିଥିଲା ।

ଅସାମାଜିକ ନାବାଳକ ଦୁଇଜଣ ସେଠାରୁ ପଳାଇଥିଲେ ।ଶୁକ୍ରବାର ସନ୍ଧ୍ୟାରେ ନାବାଳକଟି କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରୁଥିଲା । ଘରଠାରୁ ସାମାନ୍ୟ ଦୂରରେ ଗୋଟିଏ ଗଳିରେ ଦୁଇଜଣ ନାବାଳକ ତାକୁ ଛୁରାରେ ଆକ୍ରମଣ କରି ମାରିଦେଲେ । ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ ସାରା ଘଟଣା ଦେଖିବାକୁ ମିଳିଛି । ସଂପୃକ୍ତ ଗଳିରେ ତିନିଜଣ ନାବାଳକ ଧସ୍ତାଧସ୍ତି ହେଉଛନ୍ତି । ଜଣେ ଛାତ୍ର ହାତରେ ଛୁରା ଧରି ଅନ୍ୟ ଜଣେ ଛାତ୍ରଙ୍କ ପଛପଟ ମେରୁଦଣ୍ଡ ନିକଟରେ ମାଡ଼ କରୁଛି ।

ଛୁରାଟି ଛାତ୍ରଙ୍କ ପିଠିରେ ଲଟକିଥିବା ଅବସ୍ଥାରେ ଦୁଇ ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାୟନ କରୁଛନ୍ତି । ଗୁରୁତର ଆହତ ଛାତ୍ରଟି ପକେଟରୁ ଫୋନ୍‌ ବାହାର କରି କଥା କହିବା ପୂର୍ବରୁ ତଳେ ପଡ଼ି ଯାଇଛନ୍ତି । ରକ୍ତ ଜୁଡୁବୁଡୁ ଛାତ୍ରଙ୍କୁ ଡାକ୍ତରଖାନାକୁ ନିଆଯିବାରୁ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରି ପୁଲିସ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିଛି ।