ଚୀନ୍ ଦଖଲରେ ଲଦାଖର ୩୮,୦୦୦ ବର୍ଗ କି.ମି ଅଞ୍ଚଳ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନ୍ ଲଦାଖରେ ପ୍ରାୟ ୩୮,୦୦୦ ବର୍ଗ କି.ମି ଅଞ୍ଚଳକୁ ବେଆଇନ ଭାବେ ନିଜ ଦଖଲରେ ରଖିଆସିଛି। ପାକ୍ ଅଧିକୃତ କାଶ୍ମୀର(ପିଓକେ)ର ପ୍ରାୟ ୫,୧୮୦ ବର୍ଗ କି.ମି ଅଞ୍ଚଳ ମଧ୍ୟ ପାକିସ୍ତାନ ଚୀନ୍ ହାତକୁ ଟେକି ଦେଇଛି। ଆଜି ସଂସଦରେ ଏହି ତଥ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

୧୯୬୩ର ତଥାକଥିତ ସିନୋ-ପାକିସ୍ତାନ ‘ସୀମା ଚୁକ୍ତି’ ଆଧାରରେ ପାକିସ୍ତାନ ବେଆଇନ ଭାବରେ ଏହି ବିବାଦୀୟ ୫,୧୮୦ ବର୍ଗ କି.ମି ଅଞ୍ଚଳକୁ ଚୀନକୁ ଟେକି ଦେଇଥିବା ରାଜନାଥ କହିଛନ୍ତି। ଚୀନ୍ ସହ ଲଦାଖରେ ଲାଗି ରହିଥିବା ମୁହାଁମୁହିଁ ସ୍ଥିତିକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ଆଜି ସଂସଦରେ କହିଛନ୍ତି ଯେ, ‘ଜୁନ୍ 15 ରେ ଗଲୱାନରେ ଚୀନ୍ ସୈନ୍ୟ ଏକ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଥିଲେ। ଏଥିରେ ଆମର ସାହସୀ ସୈନିକମାନେ ପ୍ରାଣ ହରାଇଲେ ଏବଂ ଚୀନ୍ ପାର୍ଶ୍ୱରେ ମଧ୍ୟ ଭୟାବହ କ୍ଷତି ହେଲା। ଅତୀତରେ ଆମର ଚୀନ୍ ସହିତ ସୀମାନ୍ତ ଅଞ୍ଚଳରେ ଦୀର୍ଘ ଦିନର ମୁହାଁମୁହିଁ ପରିସ୍ଥିତି ରହିଥିଲା ଯାହା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇଥିଲା । ଯଦିଓ ଏହି ବର୍ଷ ପରିସ୍ଥିତି ଭିନ୍ନ ରହିଛି ତଥାପି ଆମେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରତିବଦ୍ଧ ଅଟୁ’।

କିଛି ଗଡ଼ବଡ଼ି କରିବା ନେଇ ଚୀନ୍ ପିଏଲଏ ବର୍ତ୍ତମାନ ଶୀତ ଦିନକୁ ଅପେକ୍ଷା କରିଥିବା ବେଳେ ଭାରତ ଆଗୁଆ ସତର୍କତା ପଦକ୍ଷେପ ଆପଣେଇଛି। ସୈନ୍ୟମାନଙ୍କୁ ଉପଯୁକ୍ତ ପୋଷାକ, ବାସସ୍ଥାନ ଏବଂ ଆବଶ୍ୟକୀୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉଛି । କମ୍ ଅମ୍ଳଜାନ ଏବଂ ଅତ୍ୟଧିକ ଥଣ୍ଡା ତାପମାତ୍ରା ମଧ୍ୟରେ ପର୍ବତ ଶିଖରରେ ଲଢ଼ିବାକୁ ଆମ ସେନା ସକ୍ଷମ। ଅତିତରେ ସିଆଚେନ୍ ଗ୍ଲେସିୟର ଏବଂ କାର୍ଗିଲ ଯୁଦ୍ଧରେ ତାହା ପ୍ରମାଣିତ ହୋଇ ସାରିଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।