ସୀମା ବିବାଦର ସମାଧାନ ହୋଇନି: ରାଜନାଥ

ନୂଆଦିଲ୍ଲୀ: ଲଦାଖ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏଯାଏଁ ଏହାର କୌଣସି ସମାଧାନ ବାହାରି ପାରିନଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ କହିଛନ୍ତି। ତେବେ ସୀମା ଏବଂ ଆଖପାଖ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷ ଏକମତ ହୋଇଥିବା କହିଛନ୍ତି ରାଜନାଥ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ‘ପୂର୍ବରୁ ସ୍ଥିରୀକୃତ ପାରମ୍ପରିକ ସୀମାରେଖାକୁ ଚୀନ୍ ସ୍ୱୀକୃତି ଦେଉନାହିଁ। ଆମେ ବିବେଚନା କରୁଛୁ ଯେ ଏହି ସୀମାରେଖା ଭୌଗୋଳିକ ଗଠନ ଆଧାରରେ ରହି ଆସିଛି। ଆମେ କୂଟନୈତିକ ସ୍ତରରେ ଚୀନକୁ କହିସାରିଛୁ ଯେ ସ୍ଥିତିକୁ ଏକପାଖିଆ ପରିବର୍ତ୍ତନ କରିବାର ପ୍ରୟାସ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ଉଲ୍ଲଂଘନ କରୁଛି। ଚୀନ୍ ସୈନ୍ୟବାହିନୀର ହିଂସା ଆଚରଣ ଅତୀତର ସମସ୍ତ ଚୁକ୍ତିର ଖୋଲା ଉଲ୍ଲଂଘନ’।

‘ଚୀନ୍ ଏଲଏସି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ବହୁ ସଂଖ୍ୟକ ସେନା ବାଟାଲିୟନ ଏବଂ ଅସ୍ତ୍ରଶସ୍ତ୍ର ମୁତୟନ କରିଛି । ପୂର୍ବ ଲଦାଖ, ଗୋଗ୍ରା, କଙ୍ଗକା ଲା, ପାଙ୍ଗଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରେ ଅନେକ ସଂଘର୍ଷ ବିନ୍ଦୁ ସୃଷ୍ଟି ହୋଇଛି। ଭାରତୀୟ ସେନା ଏହି ଅଞ୍ଚଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିଛି। ମୁଁ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ’ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

‘ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମର ସଶସ୍ତ୍ର ବାହିନୀର ମନୋବଳ ଅଧିକ । ଏଥିରେ କେହି ସନ୍ଦେହ କରିବା ଉଚିତ୍ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତ ଏକ ବାର୍ତ୍ତା ପଠାଇଛି ଯେ ଭାରତର ଲୋକମାନେ ଭାରତୀୟ ସଶସ୍ତ୍ର ବାହିନୀ ପଛରେ ଛିଡା ହୋଇଛନ୍ତି’ । ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ରକ୍ଷା କରିବାକୁ ସୀମାରେ ଜଗି ରହିଥିବା ଆମର ସଶସ୍ତ୍ର ବାହିନୀ ସହିତ ଆମେ କାନ୍ଧରେ କାନ୍ଧ ମେଳାଇ ଛିଡା ହୋଇଛୁ ବୋଲି ଗୃହରେ ଏକ ସଂକଳ୍ପ ପାରିତ କରିବାକୁ ଅନୁରୋଧ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।