ମୁଁ ବିଜେପି ଓ ସଂଘ ସହ ଅଛି: ମଦନ ଶର୍ମା

ମୁମ୍ବାଇ: ଶିବେସେନା କର୍ମୀଙ୍କ ଦ୍ୱାରା ମାଡ଼ର ଶିକାର ହୋଇଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମା ଆଜି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି। ସାକ୍ଷାତକାର ପରେ ସେ ମିଡ଼ିଆକୁ ବିବୃତି ଦେଇ କହିଛନ୍ତି କି ମୁଁ ଆଜିଠାରୁ ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଅଛି।

ମଦନ ଶର୍ମା ଏହି ପରିପ୍ରେକ୍ଷୀରେ ଏ କଥା କହିଛନ୍ତି, ‘ଯେତେବେଳେ ମୋତେ ମାଡ଼ ହେଲା ସେମାନେ(ଶିବସେନା) ଆକ୍ଷେପ କଲେ କି ମୁଁ ବିଜେପି ଓ ସଂଘ ସହ ଅଛି। ତେଣୁ, ଏବେ ମୁଁ ଘୋଷଣା କରୁଛି ଯେ ଆଜିଠାରୁ ସତରେ ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଅଛି’।

ଆଜି ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କ ଠାରେ ଅଭିଯୁକ୍ତଙ୍କୁ ଯେଉଁ ଧାରାରେ ଗିରଫ କରାଯାଇଛି ତାହା ଦୁର୍ବଳ ବୋଲି ଅଭିଯୋଗ କରିଛନ୍ତି ମଦନ ଶର୍ମା। ରାଜ୍ୟପାଳ ତାଙ୍କୁ ଦାବିପତ୍ର ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ମହାରାଷ୍ଟ୍ର ସରକାରଙ୍କୁ ବରଖାସ୍ତ କରି ରାଜ୍ୟରେ ଜରୁରୀ ସ୍ଥିତି ଲଗାଇବାକୁ ସେ ଦାବି କରିଛନ୍ତି। ସମସ୍ତ ଘଟଣା ସମ୍ପର୍କରେ କେନ୍ଦ୍ରକୁ ରାଜ୍ୟପାଳ ଜଣାଇବେ ବୋଲି କହିଛନ୍ତି।