ଜେଇ-ନିଟ୍ ପରୀକ୍ଷା: ସୁପ୍ରିମ୍ କୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ୭ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ଆଲୋଚନା କରିଛନ୍ତି। କରୋନା ମହାମାରୀ ଭିତରେ ଜେଇ ଓ ନିଟ୍ ପରୀକ୍ଷା କରେଇବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଏହି ଅବସରରେ ସମସ୍ତେ ନାପସନ୍ଦ କରିଛନ୍ତି। ପରୀକ୍ଷା ତାରିଖ ନ ଘୁଞ୍ଚିଲେ ସୁପ୍ରିମ୍ କୋର୍ଟ ଯିବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୋକଠୋକ କହିଛନ୍ତି।

ଏହି ବୈଠକରେ ସୋନିଆ ଗାନ୍ଧୀଙ୍କ ସମେତ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଟଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ୱାମୀ ଯୋଡ଼ି ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଛି। କୋଭିଡ କଟକଣା ଯୋଗୁଁ ଯାତାୟାତ ସ୍ୱାଭାବିକ ହୋଇନାହିଁ। ଏ ପରିସ୍ଥିତିରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିପଦ ମୁହଁକୁ ଜାଣିଶୁଣି ଠେଲି ଦିଆଯାଉଛି ବୋଲି ସମସ୍ତେ ସ୍ୱର ଉଠାଇଛନ୍ତି।

କିଛି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିତ ଦାବିପତ୍ର ଦେବା କଥା ଉଠାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବୋଚ୍ଚ ଅଦାଲତଙ୍କ ପାଖରେ ଏନେଇ ଆବେଦନ କରିବାକୁ ପ୍ରସ୍ତାବ ରଖିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହାକୁ ସମର୍ଥନ କରିଛନ୍ତି। ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ବାବଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।