ବର୍ଷା ପାଣିରେ ଡୁବିଲେ ବାବା ମଣି

ଭଦ୍ରକ(ଏସ୍ ନ୍ୟୁଜ): ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣୀ ପୀଠରେ ଅବ୍ୟବସ୍ଥାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ମନ୍ଦିର ଗର୍ଭଗୃହ ଭିତରକୁ ବାହାରର ବର୍ଷା ପାଣି ପଶି ଠାକୁରଙ୍କ ପୂଜାର୍ଚ୍ଚନା, ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି କରିଛି। ମନ୍ଦିରର ଉନ୍ନତିକରଣ ଲାଗି ଅର୍ଥ ଆସିଥିବା ବେଳେ ଏଭଳି ପରିସ୍ଥିତି ଉପୁଜିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ସୂଚନା ଅନୁସାରେ ଗତ ତିନି ଦିନ ଧରି ଲଘୁଚାପ ବର୍ଷା ପ୍ରଭାବରେ ଗତକାଲି ରାତିରେ ମନ୍ଦିରର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡ ଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ବର୍ଷା ପାଣି ପ୍ରବେଶ କରିଥିଲା। ବର୍ଷା ଜଳରେ ମଣିବାବାଙ୍କ ବିଗ୍ରହ ସଂପୂର୍ଣ୍ଣ ବୁଡ଼ିଯାଇଥିଲା। ଫଳରେ ଆଜି ସକାଳୁ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟ ନୀତିରେ ବିଳମ୍ବ ହୋଇଥିଲା। ପାଣି ପମ୍ପ ଲଗାଯାଇ ମନ୍ଦିର ଗର୍ଭଗୃହରୁ ପାଣି ନିଷ୍କାସନ କରାଯାଇଥିଲା।

ରାଜ୍ୟର ସର୍ବପୁରାତନ ଶୈବକ୍ଷେତ୍ର ଭାବେ ପ୍ରସିଦ୍ଧିଲାଭ କରିଥିବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ଏପରିକି ବିଭିନ୍ନ କାର୍ଯ୍ୟକ୍ରମର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରତ୍ନତ୍ତତ୍ତ୍ୱତ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବା ସହ ଟେଣ୍ଡର ପ୍ରକ୍ରିୟା କରାଯାଇଥିଲା। ତେବେ ବର୍ଷାଦିନ ପୂର୍ବରୁ ଏ ନେଇ କାହିଁକି ଚିନ୍ତା କରାଗଲାନି ବୋଲି ହଜାର ହଜାର ଶିବ ଭକ୍ତ ପ୍ରଶ୍ନ କରିଛନ୍ତି।