ଜାନୁଆରୀ ଶେଷ ସପ୍ତାହରୁ କରୋନା ନାସିକା ଟୀକା

ସରକାରୀ ଡାକ୍ତରଖାନାରେ ପ୍ରତି ଡୋଜ୍‌ ୩୨୫ ଟଙ୍କା

ଘରୋଇ ଡାକ୍ତରଖାନାରେ ଦେବାକୁ ପଡ଼ିବ ୮୦୦ ଟଙ୍କା…

ନୂଆଦିଲ୍ଲୀ: କରୋନା ଭୂତାଣୁ ନିପାତ କରିବା ପାଇଁ ନାସିକା ଟୀକାକରଣକୁ ମଞ୍ଜୁରୀ ମିଳିବାର ଚାରିଦିନ ପରେ କେନ୍ଦ୍ର ସରକାର ତା’ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ଭାରତ ବାୟୋଟେକ୍‌ ପ୍ରସ୍ତୁତ କରୋନା ନାସିକା ଟୀକା ଜାନୁଆରୀ ଶେଷ ସପ୍ତାହରେ ସମସ୍ତ ସରକାରୀ ଡାକ୍ତରଖାନାରେ ମୁଣ୍ଡ ପିଛା ୩୨୫ ଟଙ୍କାରେ ମିଳିବ । ଘରୋଇ ଡାକ୍ତରଖାନାରେ ଉକ୍ତ ଟୀକା ମୁଣ୍ଡ ପିଛା ୮୦୦ ଟଙ୍କାରେ ମିଳିବ । ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର କରୋନା ନାସିକା ଟୀକା ତିଆରି କରିନାହାନ୍ତି ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉକ୍ତ ନାସିକା ଟୀକାକରଣକୁ ଡିସେମ୍ବର ୨୩ ତାରିଖରେ ମଞ୍ଜୁରି ପ୍ରଦାନ କରିଥିଲେ । କୋଭାକ୍ସିନ୍‌ ନିର୍ମାତା ଭାରତ ବାୟୋଟେକ୍‌ ଓ ୱାଶିଂଟନ୍‌ ୟୁନିଭର୍ସିଟି ସ୍କୁଲ ଅଫ୍‌ ମେଡିସିନ୍ସ (ଡବ୍ଲ୍ୟୁୟୁଏସ୍‌ଏମ୍‌) ମିଳିତ ଉଦ୍ୟମରେ କରୋନା ନାସିକା ଟୀକା ତିଆରି କରାଯାଇଛି । ନାକ ବାଟ ଦେଇ ଦିଆଯାଉଥିବା ଏହି ଟୀକା ଏବେ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିହେବ ।
ପୂର୍ବରୁ ଦିଆଯାଇଥିବା ଟୀକାର ଦୁଇଟି ଡୋଜ୍‌ ନେବାକୁ ପଡୁଥିଲା । ଦ୍ୱିତୀୟ ଡୋଜ୍‌ ନେବାର ୧୪ ଦିନ ପରେ ନିରାପଦ କୁହାଯାଉଥିଲା । ମାତ୍ର ନାସିକା ବାଟ ଦେଇ ଦିଆଯାଉଥିବା ଟୀକାର ଦ୍ୱିତୀୟ ଡୋଜ୍‌ ଅନାବଶ୍ୟକ । ନାସିକା ଡୋଜ୍‌ ନେବାର ୧୪ ଦିନ ପରେ ବ୍ୟକ୍ତି ନିରାପଦ ଜୀବନ ବିତାଇ ପାରିବେ ।

ନାକରେ ଦିଆଯାଉଥିବା ଡୋଜ୍‌ ବ୍ୟକ୍ତିଙ୍କୁ ଏକାଧାରରେ କରୋନା ଦାଉରୁ ରକ୍ଷା କରିବା ସହିତ ପ୍ରସାରକୁ ରୋକିବ । ଏହି ଟୀକାର ପାଶ୍ୱର୍ ପ୍ରତିକ୍ରିୟା ଅତି ମାମୁଲି ।