ତୁନିଷାଙ୍କ ଅନ୍ତିମ ସଂସ୍କାରରେ ଶିଜାନଙ୍କ ମା

’ପ୍ରଶ୍ନବାଣରେ ଭୋ ଭୋ କାନ୍ଦିଲେ ଶିଜାନ୍‌

ଆମ ନିରବତାକୁ ଦୁର୍ବଳତା ଭାବନ୍ତୁ ନାହିଁ

ମୁମ୍ବାଇ: ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଅନ୍ତିମ ସଂସ୍କାର ମୀରା ରୋଡ୍‌ରେ ଅବସ୍ଥିତ ମଶାଣିରେ କରାଯାଇଛି । ଶେଷକୃତ୍ୟରେ ଅଭିଯୁକ୍ତ ଶିଜାନ ଖାନଙ୍କ ମା’ ଓ ଭଉଣୀ ସାମିଲ ହୋଇଥିଲେ । ମିଡିଆର ପ୍ରଶ୍ନବାଣରେ ଶିଜାନଙ୍କ ଭଉଣୀ କହିଛନ୍ତି, ଏହି ଦୁଃଖଦ ଘଟଣାର ଟିକିନିଖି ତଥ୍ୟ ଜାଣିବା ପାଇଁ ଆପଣମାନେ ଯେତିକି ଆଗ୍ରହୀ, ଆମେମାନେ ମଧ୍ୟ ସେତିକି ଆଗ୍ରହୀ । କିନ୍ତୁ ଏଭଳି ଗମ୍ଭୀର ପରିବେଶରେ ଆମକୁ ଏକାନ୍ତରେ ରହିବାକୁ ଦିଅନ୍ତୁ । ମୋଟ ଉପରେ ଦେଖିଲେ, ଏହି ଘଟଣାରେ ଉଭୟ ପରିବାର ଦାୟୀ । ନ୍ୟାୟାଳୟ ଉପରେ ଆମର ଗଭୀର ଆସ୍ଥା ରହିଛି । ଆମର ନିରବତାକୁ ଦୁର୍ବଳତା ଭାବନ୍ତୁ ନାହିଁ । ଯଥା ସମୟରେ ଆମେ ସବୁ ପ୍ରଶ୍ନର ଜବାବ ଦେବୁ ।

ମଙ୍ଗଳବାର ମଧ୍ୟାହ୍ନ ପରେ ପୁଲିସର ଉପସ୍ଥିତିରେ ପଣ୍ଡିତ ଭୀମସେନ ଜୋଷୀ ଡାକ୍ତରଖାନା ଶବଗୃହରୁ ତୁନିଷାଙ୍କ ମରଶରୀରକୁ ବାହାର କରାଯାଇ ପରିବାର ହାତକୁ ଟେକି ଦିଆଯାଇଥିଲା । ପରିବାର ପକ୍ଷରୁ ମୃତଦେହକୁ ପ୍ରଥମେ ଘରକୁ ନିଆଯାଇଥିଲା, ସେଠାରୁ ଶ୍ମଶାନ ଅଭିମୁଖେ ଯାଇଥିଲା ।
ପୁଲିସ ଅଧିକାରୀ କହିଛନ୍ତି ଯେ ଦୁଇଦିନ ଧରି ଶିଜାନ ତୁନିଷାଙ୍କ ସହ ସଂପର୍କ ତୁଟାଇବା ପଛରେ ନାନା କାହାଣୀ ଶୁଣାଉଥିଲା । କିନ୍ତୁ ଆମର ଜଣେ ମହିଳା ପୁଲିସ ଅଧିକାରୀ ତାଙ୍କୁ ଏପରି ପ୍ରଶ୍ନବାଣରେ ଘାଇଲା କଲେ ଯେ ସେ ଭୋ ଭୋ କାନ୍ଦିବାକୁ ଲାଗିଲା । ପୁଲିସ ଏବେ ସୁଦ୍ଧା ୧୭ ଜଣ ଲୋକଙ୍କ ବୟାନ ଲିପିବଦ୍ଧ କରିଛି ।
ସୂଚନାଯୋଗ୍ୟ, ୨୪ ତାରିଖରେ ତୁନିଷା ସୁଟିଂ ସେଟ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ । ତୁନିଷାଙ୍କ ମା’ଙ୍କ ଅଭିଯୋଗକୁ ଆଧାର କରି ପୁଲିସ ପ୍ରେମିକ ଶିଜାନ ଖାନଙ୍କୁ ଗିରଫ କରିଥିଲା । ପ୍ରାୟ ଏକବର୍ଷ ଧରି ତୁନିଷା-ଶିଜାନ ଅବାଧ ମିଳାମିଶା କରୁଥିଲେ । ଶିଜାନ ଅଧିକାଂଶ ସମୟ ତୁନିଷାଙ୍କ ଘରକୁ ଚଳପ୍ରଚଳ କରୁଥିଲେ ।