ରାଜସ୍ଥାନର କ୍ରମାଗତ ଚତୁର୍ଥ ପରାଜୟ

ଦୁବାଇ: ଚଳିତ ଆଇପିଏଲରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪୬ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି । ବିଜୟ ସହ ଶ୍ରେୟାସ  ଆୟାରଙ୍କ ନେତୃତ୍ଵାଧୀନ ଦିଲ୍ଲୀ ୮ ପଏଣ୍ଟ ହାସଲ କରି ଅଙ୍କ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି । ଅନ୍ୟ ପଟେ ଦଳରେ ୩ ପରିବର୍ତ୍ତନ ସତ୍ତ୍ୱେ ରାଜସ୍ଥାନ ରୟାଲ୍ସ ତାର ଭାଗ୍ୟ ବଦଳି ପାରି ନାହିଁ । ଦଳର ଏହା କ୍ରମାଗତ ୪ର୍ଥ ପରାଜୟ ହୋଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ  କ୍ୟାପିଟାଲ୍ସ ୭୯ ରନରେ ପ୍ରମୁଖ ୪ ବ୍ୟାଟ୍ସମାନଙ୍କୁ ହରାଇ  ସଙ୍କଟରେ ପଡିଥିଲା । ଶିଖର ଧାୱନ (୫) , ପୃଥ୍ୱୀ ଶ ( ୧୯ ), ଅଧିନାୟକ  ଆୟାର (୨୨) ଓ ରିଷବ ପନ୍ତ (୫) ସମ୍ପୂର୍ଣ ବିଫଳ ହୋଇଥିଲେ । ଏଭଳି ସ୍ଥିତିରେ ଦଳକୁ  ସମ୍ଭାଳି ଥିଲେ ମାର୍କସ ଷ୍ଟୋଇନିସ ୩୯ (୪ ଛକା )  ଓ ଶିମରନ ହେଟମାୟର  ୪୫  (୫ ଛକା ଓ ୧ ଚଉକା ) । ଶେଷରେ ଅକ୍ଷର ପଟେଲ ୧୭ ଓ ହର୍ଷଲ ପଟେଲ ୧୬ ରନର ଉପଯୋଗୀ ଯୋଗଦାନ ଦେଇଥିଲେ । ଫଳରେ ଦିଲ୍ଲୀ ପୂରା ୨୦ ଓଭରରେ ୮ ଉଇକେଟ ହରାଇ ୧୮୪ ରନ କରିବାକୁ ସକ୍ଷମ ହୋଇଥିଲା । ଜୋଫ୍ରା ଆର୍ଚ୍ଚର ହାତେଇଥିଲେ ୩ ଉଇକେଟ ।

ଜବାବରେ ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରାଜସ୍ଥାନ । ବିପର୍ଯ୍ୟୟରୁ ଦଳକୁ ବଞ୍ଚାଇ ପାରି ନ ଥିଲେ କୋଣସି ବ୍ୟାଟ୍ସମାନ । ହେଲେ  କିଛି ଚିତାକର୍ଷକ ଶଟ ଖେଳିଥିଲେ ରାହୁଲ ତେୱତୀଆ । ସେ  ୩ ଚଉକା ଓ ୨ ଛକା ସହାୟତାରେ କରିଥିଲେ ୩୮ ରନ । ରାଜସ୍ଥାନ  ୧୩୮ ରନରେ ଅଲଆଉଟ ହୋଇ ଯାଇଥିଲା । ଯଶସ୍ବୀ ଜୈଶ୍ବାଲ ୩୪ , ଜୋସ ବଟଲର ୧୩, ଅଧିନାୟକ ଷ୍ଟିଭ ସ୍ମିଥ ୨୪ , ସଞ୍ଜୁ ସାମସନ (୫) ଫେଲ ହୋଇଥିଲେ । ବିଜୟୀ ଦଳ ପାଇଁ କାଗିସୋ ରାବାଡା ୩ ସଫଳତା ପାଇଥିବା ବେଳେ ଷ୍ଟୋଇନିସ ଓ ରବିଚନ୍ଦ୍ରନ ଅଶ୍ୱିନ ହାସଲ କରିଥିଲେ ଲେଖାଏଁ  ୨ ଉଇକେଟ ।