‘ଝିଟିପିଟି ନୁହେଁ ବାଇଗଣ, ଚୁପଚାପ ଖାଇଦିଅ’

ମଧ୍ୟାହ୍ନଭୋଜନରେ ଝିଟିପିଟି, ୨୦୦ ପିଲା ବେମାର

ପାଟନା: ଡାଲମାରେ ଝିଟିପିଟି ପଡ଼ିଥିବାର ଦେଖିଲେ ମଧ୍ୟ ଶିକ୍ଷକ ବେତରେ ମାଡ଼ ମାରି ପିଲାଙ୍କୁ ଖାଇବାକୁ ବାଧ୍ୟ କରିଥିଲେ । ଫଳରେ ସ୍କୁଲର ୧୪୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଶ୍ଚର୍ଯ୍ୟର କଥା ଏହିକି, ସ୍କୁଲର ପ୍ରଧାନ ଶିକ୍ଷକ ସଂପୃକ୍ତ ଶିକ୍ଷକଙ୍କର ଦୋଷକୁ ଘୋଡ଼ାଇବାକୁ ଯାଇ ଡାଲମାରେ ଝିଟିପିଟି ପଡ଼ିଥିବା ଘଟଣାକୁ ଖଣ୍ଡନ କରିଛନ୍ତି । ବିହାରର ଭାଗଲପୁରସ୍ଥିତ ଗୋଟିଏ ସ୍କୁଲରେ ମଧ୍ୟାହ୍ନଭୋଜନ ସମୟର ଉକ୍ତ ଘଟଣା ଏବେ ପ୍ରଶାସନକୁ ବଦନାମ କରିଛି ।
ସୂଚନା ମୁତାବକ ନବଗଛିୟା ବ୍ଲକ୍‌ ଅନ୍ତର୍ଗତ ମଦତପୁର ଗ୍ରାମରେ ପ୍ରତିଷ୍ଠିତ ମାଧ୍ୟମିକ ଇଂରାଜୀ ବିଦ୍ୟାଳୟର ଘଟଣା । ଷଷ୍ଠ ଣ୍ରେଣୀର ଛାତ୍ରୀ ଶିବାନୀ କୁମାରୀ କହନ୍ତି, ଗୁରୁବାର ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଥିଲା । ଆୟୁଷା ନାମକ ଜଣେ ଛାତ୍ରଙ୍କ ଥାଳିରୁ ଝିଟିପିଟି ବାହାରିଥିଲା । ସେ ବଡ଼ପାଟି କରି କହିଦେବାରୁ ଅନ୍ୟ ପିଲାମାନେ ଭୋଜନ ଖାଇବାକୁ ରାଜି ହେଲେନାହିଁ । ପିଲାମାନେ ଠିଆ ହୋଇଯିବାରୁ ଶିକ୍ଷକ ଚିତରଂଜନ ତତ୍‌କ୍ଷଣାତ୍‌ ସେଠାରେ ପହଂଚିଗଲେ । ସେ ଆୟୁଷଙ୍କ ଥାଳି ଉପରେ ନଜର ବୁଲାଇ ଝିଟିପିଟି ନୁହେଁ ବାଇଗଣ କହି ଥାଳିରୁ ଝିଟିପିଟି କାଢ଼ି ବାହାରକୁ ଫିଙ୍ଗିଦେଲେ । ତା’ପରେ ପିଲାମାନଙ୍କୁ ଅନାଇ ‘ଚୁପଚାପ ଖାଅ ନଚେତ୍‌ ଘରକୁ ଯାଇ ଖାଅ’ ।

ପିଲାମାନେ ଖାଇବା ପାଇଁ ରାଜି ନହେବାରୁ ଚିତରଂଜନ ସାର ବାଡ଼ିରେ ପିଟିପିଟି ମଧ୍ୟାହ୍ନଭୋଜନ ଖାଇବାକୁ ବାଧ୍ୟ କଲେ । ପିଲାମାନେ ମାଡ଼ ଭୟରେ ଖାଦ୍ୟ ଖାଇଲେ ମାତ୍ର ସାଙ୍ଗେସାଙ୍ଗେ ବାନ୍ତି କରିବାକୁ ଲାଗିଲେ । ପିଲାମାନଙ୍କର ଶରୀର ଫୁଲିବାକୁ ଲାଗିଲା । ଅସୁସ୍ଥ ପିଲାମାନଙ୍କୁ ଡାକ୍ତରଖାନା ନେବା ବଦଳରେ ସ୍କୁଲ କର୍ମଚାରୀମାନେ ତୁରନ୍ତ ରନ୍ଧାଖାଦ୍ୟ ଫିଙ୍ଗିବା କାମରେ ଲାଗିପଡ଼ିଲେ । ପିଲାଙ୍କ ଅସୁସ୍ଥ ଖବରଟି ବିଜୁଳି ବେଗରେ ଖେଳିଯିବାରୁ ଅଭିଭାବକମାନେ ସ୍କୁଲରେ ପହଂଚିବାକୁ ଲାଗିଲେ । ପ୍ରାୟ ୨୦୦ ଅସୁସ୍ଥ ପିଲାଙ୍କୁ ନବଗଛିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଏବେ ସବୁ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁାରିଯାଇଛି । ସୌଭାଗ୍ୟର କଥା ବିଷାକ୍ତ ଖାଦ୍ୟ ଖାଇ କେହି ମୃତ୍ୟୁମୁଖରେ ପଡ଼ିନାହାନ୍ତି ।

ଖବର ପାଇ ଏସଡିପିଓ, ବିଡିଓଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ସ୍କୁଲରେ ପହଂଚିଥିଲେ । ଘଟଣାର ତଦନ୍ତ କରାଯାଇ ଦୋଷୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ୍‌ ଶିକ୍ଷାଧିକାରୀ କହିଛନ୍ତି । ମାତ୍ର କଥା ହେଉଛି, ସୌଭାଗ୍ୟବଶତଃ କୌଣସି ପିଲା ମରିନାହାନ୍ତି । କିଛି ଅଘଟଣ ହୋଇଥିଲେ ଶିକ୍ଷାଧିକାରୀ ଏପରି ହାଲୁକା ଟିପ୍ପଣୀ ଦେଇ ଖସି ଯାଇଥାନ୍ତେ କି? ଅଭିଯୁକ୍ତ ଶିକ୍ଷକ ଚିତରଂଜନ ପିଲାଙ୍କୁ ମାଡ଼ ମାରି ମଧ୍ୟାହ୍ନଭୋଜନ ଖୁଆଇବା ଠିକ୍‌ ହୋଇଛି କି?