ଇ-ବସ୍‌ ଚଢିଯିବାରୁ ୬ ପ୍ରାଣ ହରାଇଲେ

ନୂଆଦିଲ୍ଲୀ: ଏକ ଇ-ବସ ଚଢିଯିବାରୁ ପ୍ରାୟ ୬ଜଣଙ୍କ ମୃତ୍ୟୁ ହେବା ସହ ପାଖାପାଖି ୧୨ଜଣ ଆହତ ହୋଇଛନ୍ତି । କାନପୁରରେ ଏହି ଇ-ବସ୍‌ଟି ସେଠାରେ ଥିବା ଅନ୍ୟ କେତେକ ଗାଡି ସହ ଧକ୍କା ହେବା ଫଳରେ ନିୟନ୍ତ୍ରଣ ହରାଇ ୧୫ଜଣ ପଥଚାରୀଙ୍କ ଉପରେ ଚଢିଯିବା ସହ ଅନେକ କାର୍‌ ଓ ମୋଟର ସାଇକେଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଘଟଣା ଘଟାଇ ଉକ୍ତ ବସ୍‌ଟି ଗୋଟାଏ ଟ୍ରାଫିକ ବୁଥ୍‌ ଉପରେ ମାଡିଯାଇ ଟ୍ରକ୍‌ ଉପରେ ଧକ୍କା ହୋଇଥିଲା ।

ଏହି ଇଲେକ୍ଟ୍ରିକ ବସର ବ୍ରେକ ଫେଲ ହେବା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଥିଲେ ସୁଦ୍ଧା ପୋଲିସ ପହଞ୍ôଚ ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିପରି ଫେରାର ହୋଇଥିବା ବସ ଡ୍ରାଇଭରର ଖୋଜା ଚାଲିଛି ବୋଲି କାନପୁରର ଡେପୁଟି ପୁଲିସ କମିସନର କହିଛନ୍ତି । ଅନ୍ୟପକ୍ଷରେ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।