ଆଜି ବଜେଟ, ଆଶା ଓ ନିରାଶାରେ ଦେଶବାସୀ

ମୋଦୀ ସରକାରରେ କ’ଣ ରହିବ ପରିବର୍ତ୍ତନ ତା ଉପରେ ବି ନଜର

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ୪ର୍ଥ ଥର ପାଇଁ ବଜେଟ ଉପସ୍ଥାପନ କରିବେ । ଏହା ଉପରେ ରହିଛି ସମଗ୍ର ଦେଶବାସୀଙ୍କ ନଜର । ବଜେଟରେ କୋଭିଡ୍ ମହାମାରୀରେ ଅସ୍ତବ୍ୟସ୍ତ ଚାକିରିଆ ଓ ମଧ୍ୟବିତ୍ତବର୍ଗକୁ ଟିକସ ରିହାତି ମିଳିବା ନେଇ ଆଶା କରାଯାଉଛି । ସେହିପରି କ୍ରିପ୍ଟୋ କରେନ୍ସି ନେଇ ଟିକସ ବ୍ୟବସ୍ଥା କଣ ରହିବ ତା ଉପରେ ବି ନଜର ରହିଛି  ।

ମୋଦୀ ସରକାରଙ୍କ ବଜେଟ୍‌ରେ ଆୟକରଦାତାଙ୍କୁ ଆଶ୍ୱସ୍ତି ଦେବାକୁ ପ୍ରତ୍ୟେକ ଥର ଉଦ୍ୟମ ହୋଇଛି । ମନମୋହନ ସରକାରରେ ବାର୍ଷିକ ୨ ଲକ୍ଷ ରୋଜଗାର କରୁଥିବା ଲୋକଙ୍କୁ କର ଦେବାକୁ ପଡୁ ନଥିଲା । ୨୦୧୪ରେ କ୍ଷମତାକୁ ଆସିବା ପରେ ମୋଦୀ ସରକାର ନିଜର ପ୍ରଥମ ବଜେଟରେ ଏହାର ସୀମା ବଢ଼ାଇ ୨.୫ ଲକ୍ଷ କରିଥିଲେ । ଅର୍ଥାତ ବାର୍ଷିକ ଯଦି ୨.୫ ଲକ୍ଷ ଟଙ୍କା ରୋଜଗାର କରନ୍ତି, ତା’ହେଲେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । 

ପାରମ୍ପରିକ କୃଷି ଓ ଭିତ୍ତିଭୂମି ସାଙ୍ଗକୁ କରୋନା ମାଡ଼ରେ ବିପର୍ଯ୍ୟୟ ଶିକ୍ଷା ଓ ସେବା କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀଙ୍କର ସ୍ୱତନ୍ତ୍ର ନଜର ରହିବ ବୋଲି ଆକଳନ କରାଯାଉଛି। ଏହାବାଦ ଭାରତକୁ ଇଣ୍ଡଷ୍ଟ୍ରିଆଲ ହବ୍‌ରେ ପରିଣତ କରିବାକୁ ସରକାରଙ୍କ ଲକ୍ଷ୍ୟ ଥିବାରୁ ଦକ୍ଷତା ବିକାଶ, ଷ୍ଟାଟ୍-ଅପ୍, ସେମି କଣ୍ଡକ୍ଟର ଓ ବୈଦୁତ୍ୟିକ ଯାନ ଲାଗି ବ୍ୟାଟେରୀ ନିର୍ମାଣ ଭଳି  ନୂଆ ଓ ରପ୍ତାନୀଭିତ୍ତିକ ଶିଳ୍ପ ଉପରେ ପ୍ରାଧାନ୍ୟ ଦିଆଯାଇପାରେ ବୋଲି କହିଛନ୍ତି ବିଶେଷଜ୍ଞ। ଆଜିଠୁ ଆରମ୍ଭ ହେବାକୁ ଥିବେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରି ୧୧ ଯାଏ ଚାଲିବ । ତା’ ପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ ।