ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ

ନୂଆଦିଲ୍ଲୀ : ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଏନେଇ ମହାରାଷ୍ଟ୍ର ବିଜେପିକୁ ଲାଗିଛି ଏକ ଶକ୍ତ ଝଟ୍‌କା। ମଂଗଳବାର ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଥିବା ବେଳେ ସେଥିରେ ଲେଖା ଅଛି କି ସେ ରାଜ୍ୟ ବିଜେପି ୟୁନିଟରୁ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

‘ମୁଁ ଦଳ ପାଇଁ କାମ କରିବାକୁ ଇଚ୍ଛୁକ, କିନ୍ତୁ ଦଳ ମୋତେ ସୁଯୋଗ ଦେଉନାହିଁ, ତେଣୁ ମୁଁ ଏହି ପଦକ୍ଷେପ ନେଇଛି’ ବୋଲି ଗଣମାଧ୍ୟମକୁ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ। ମୁଁ ବର୍ତ୍ତମାନ ସଂସଦର ସଦସ୍ୟ କିମ୍ବା ବିଧାନସଭା ସଦସ୍ୟ ହେବାକୁ ଚାହୁଁ ନାହିଁ। ମୁଁ ଦଳକୁ ସାଂଗଠନିକ ସ୍ତରରେ ମଜବୁତ କରିବା ପାଇଁ କାମ କରିବାକୁ ଚାହୁଁଛି ଏବଂ ଏକ ଦଶନ୍ଧି ଧରି ମୁଁ ଏଭଳି ଦାୟିତ୍ୱ ମାଗୁଛି। ତଥାପି, ଦଳ ମୋତେ ଏଥିପାଇଁ ମୋତେ ସୁଯୋଗ ଦେଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେଉଁମାନେ ରାଜ୍ୟରେ ଦଳକୁ ସୁଦୃଢ଼ କରାଇବାକୁ ଉଦ୍ୟମ କରିଛନ୍ତି ସେମାନଙ୍କୁ ଦଳ ଚାହୁଁ ନାହିଁ।