୧୩ଟି ବର୍ଗରୁ ୯୩ ଲକ୍ଷରୁ ଅଧିକ ଆପତ୍ତିଜନକ ପୋଷ୍ଟ ହଟାଇଲା ଫେସବୁକ

ନୂଆଦିଲ୍ଲୀ : ଦେଶରେ ଆପତ୍ତିଜନକ ପୋଷ୍ଟ ପାଇଁ ଫେସବୁକ, ଗୁଗୁଲ ଓ ଇନଷ୍ଟାଗ୍ରାମ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୋସିଆଲ ମିଡିଆ କମ୍ପାନୀ ମେଟା କହିଛି ଡିସେମ୍ବରରେ ୧୩ଟି ବର୍ଗରୁ ୯୩ ଲକ୍ଷରୁ ଅଧିକ ଆପତ୍ତିଜନକ ପୋଷ୍ଟକୁ ହଟାଇ ଦିଆଯାଇଛି । ସେହିପରି ଇନଷ୍ଟାଗ୍ରାମରେ ୧୨ଟି ବର୍ଗରେ ୨୪ ଲକ୍ଷ କଣ୍ଟେଣ୍ଟକୁ ହଟାଇ ଦେଇଛି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ଅନୁସାରେ ବଡ଼ ଡିଜିଟାଲ ପ୍ଲାଟଫର୍ମ ପାଇଁ ପ୍ରତି ମାସ ଅଭିଯୋଗ ରିପୋର୍ଟ ପ୍ରକାଶ କରିବା ଜରୁରୀ ଅଟେ । ଏହି ରିପୋର୍ଟରେ ଆପତ୍ତିଜନକ କଣ୍ଟେଟକୁ ନେଇ ପ୍ରାପ୍ତ ଅଭିଯୋଗ ଓ ଏହା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ଥାଏ । ରିପୋର୍ଟ ଅନୁସାରେ ଡିସେମ୍ବର ମାସରେ ଭାରତୀୟ ଅଭିଯୋଗ ପ୍ରଣାଳୀ ମାଧ୍ୟମରେ ଫେସବୁକକୁ ୫୩୧ଟି ଅଭିଯୋଗ ମିଳିଥିଲା ।

ସେହିପରି ରିପୋର୍ଟରେ କୁହାଯାଇଛି ଯେ, ଡିସେମ୍ବରରେ ଭାରତର ବ୍ୟକ୍ତିଗତ ବ୍ୟବହାରକାରୀଙ୍କ ଠାରୁ ଗୁଗଲକୁ ୩୧,୪୯୭ଟି ଅଭିଯୋଗ ପ୍ରାପ୍ତ ହୋଇଥିଲା । ଅଭିଯୋଗ ପରେ ୯୪,୧୭୩ଟି ଆପତ୍ତି ଜନକ କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିରେ କପିରାଇଟ ଉଲଙ୍ଘନର ୯୩, ୬୯୩ଟି ମାମଲା ରହିଥିଲା । ସୂଚନାଯୋଗ୍ୟ କୌଣସି ଆପତ୍ତିଜନକ ପୋଷ୍ଟରେ ରିପୋର୍ଟ ଆସିବା ପରେ ଫେସବୁକ କାର୍ଯ୍ୟାନୁଷ୍ଠାନ ନେଉଛି । ପୂର୍ବରୁ ମଧ୍ୟ ନଭେମ୍ବର ମାସରେ ଫେସବୁକର ୧.୬୨କୋଟିରୁ ଅଧିକ କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଇନଷ୍ଟାଗ୍ରାମରେ ନଭେମ୍ବର ମାସରେ ୧୨ଟି ବର୍ଗରେ ୩୨ ଲକ୍ଷରୁ ଅଧିକ କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ।