ସର୍ବାଧିକ କଲେକ୍ସନ ରେକର୍ଡ କଲା ଫାସ ଟ୍ୟାଗ

ନୂଆଦିଲ୍ଲୀ : ଦେଶ ଧୀରେ ଧୀରେ ଡିଜିଟାଲ ଆଡକୁ ଅଗ୍ରସର ହେଉଥିବା ବେଳେ ବଢିଛି ଫାସଟ୍ୟାଗ କଲେକ୍ସନ । ୨୦୧୬ରେ ଫାସ ଟ୍ୟାଗ ଲଞ୍ଚ ହେବା ପରଠାରୁ ନିଜର ସର୍ବାଧିକ କଲେକ୍ସନ ରେକର୍ଡ କରିଛି । ମାର୍ଚ୍ଚ ମାସରେ ୪୦୯୫ କୋଟି ଟଙ୍କାର ଆୟ ହୋଇଥିବା ବେଳେ ଏହା ସର୍ବକାଳୀନ ରେକର୍ଡ ହୋଇଛି । ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ମାସରେ ୪ ହଜାର କୋଟି ଆୟ ହୋଇଥିବା ବେଳେ ଆର୍ଥିକ ବର୍ଷରେ ଆୟ ହୋଇଛି ୩୮ ହଜାର ୮୪ କୋଟି । ବିଗତ ବର୍ଷ ତୁଳନାରେ ଫାସ ଟ୍ୟାଗ ଆୟରେ ୬୮ ପ୍ରତିଶତର ଅଭିବୃଦ୍ଧି ଘଟିଛି ।

ସେହିପରି ୩୮ ହଜାର କୋଟିର ଏକ ତୃତୀୟାଂଶ ଅନ୍ତିମ ୩ ମାସରେ ସଂଗୃହୀତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ଫେବୃଆରୀ ପରଠାରୁ ଫାଶ୍‌ ଟ୍ୟାଗ୍‌ କଲେକ୍ସନ ଅଦ୍ଭୂତପୂର୍ବ ଭାବରେ ବଢିଥିଲା । ଫେବୃଆରୀ ପରଠାରୁ ଆୟ ୧୩ ପ୍ରତିଶତ ବଢି ଯାଇଥିଲା । ଚଳିତ ବର୍ଷକ ମଧ୍ୟରେ ସମୁଦାୟ ୨୭ କୋଟି ଫାଶ ଟ୍ୟାଗ ଦେଣନେଣ ହୋଇଥିବା ବେଳେ ଶେଷ ଦୁଇ ମାସରେ ୫ କୋଟି ନୂତନ ଫାସ ଟ୍ୟାଗ ଇସ୍ୟୁ କରାଯାଇଥିଲା ।

ଏନପିସିଆଇ ଇଣ୍ଡିଆ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଫେବୃୟାରୀ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୋଲ ଗେଟର ସମସ୍ତ ଲେନକୁ ଫାଶ୍‌ ଟ୍ୟାଗ ସହିତ ସଞ୍ଜୁକ୍ତ କରାଯାଇଥିଲା । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଅନୁଯାୟୀ ଦେଶରେ ୯୭ ପ୍ରତିଶତ ବ୍ୟକ୍ତିଗତ ଗାଡି ଫାସ ଟ୍ୟାଗ ସହିତ ସମ୍ପୃକ୍ତ ।