ରାଜ୍ୟପାଳ କୋଶୟାରୀ ସମ୍ମାନର ସହ ପଳାନ୍ତୁ, ନଚେତ୍‌ ତଡ଼ା ଖାଇବେ: ଉଦ୍ଧବ

ଏବେ ତାଙ୍କୁ ମହାରାଷ୍ଟ୍ରରୁ ତଡ଼ିବା ପାଇଁ ସମୟ ଆସିଯାଇଛି…

ମୁମ୍ବାଇ: ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ବୟାନରେ ଅଗ୍ନିବାଣ ହୋଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟପାଳ ପଦକୁ ମୁଁ ଅପମାନିତ କରିବାକୁ ଚାହୁଁନି । ବେଶ କିଛିବର୍ଷ ଧରି ରାଜ୍ୟପାଳ ମରାଠୀ ଭାଷାଭାଷୀଙ୍କ ପ୍ରତି ହୀନମନ୍ୟତା ପୋଷଣ କରି ଆସୁଛନ୍ତି । ମହାରାଷ୍ଟ୍ରର ମୁମ୍ବାଇ ଓ ଠାଣେରେ ରହୁଥିବା ହିନ୍ଦୁମାନେ ବେଶ ଶାନ୍ତିର ସହିତ ବସବାସ କରୁଛନ୍ତି । ରାଜ୍ୟପାଳ କୋଶୟାରୀ ବିବାଦୀୟ ବୟାନ ଜରିଆରେ ସେମାନଙ୍କୁ ଭାଗ-ଭାଗ କରିବା ପାଇଁ ହୀନ ଚକ୍ରାନ୍ତ ଚଳାଇଛନ୍ତି । ଏବେ ତାଙ୍କୁ ମହାରାଷ୍ଟ୍ରରୁ ତଡ଼ିବା ପାଇଁ ସମୟ ଆସିଯାଇଛି । ସେ ସମ୍ମାନର ସହ ମହାରାଷ୍ଟ୍ର ଛାଡ଼ି ଆପଣା ବାଟରେ ଚାଲିଯାଆନ୍ତୁ ନଚେତ୍‌ ତାଙ୍କୁ ତଡ଼ିବା ପାଇଁ ଆମେ ଅଭିଯାନ ଆରମ୍ଭ କରିବୁ । ରାଜ୍ୟପାଳଙ୍କ ପାଇଁ ଦୁଇଟି ବାଟ ଅଛି, ସେ ମହାରାଷ୍ଟ୍ର ଛାଡ଼ନ୍ତୁ ନଚେତ୍‌ ଜେଲକୁ ଯାଆନ୍ତୁ ।

ରାଜ୍ୟପାଳ କୋଶୟାରୀ ଏକ ବୟାନରେ କହିଥିଲେ ଯେ ସମୟ କ୍ରମେ ମୁମ୍ବାଇ ଆଉ ଦେଶର ଆର୍ଥିକ ରାଜଧାନୀ ହୋଇ ରହିବ ନାହିଁ । ଏଠାରେ ଟଙ୍କା ରହିଲେ ସିନା ଆର୍ଥିକ ରାଜଧାନୀ ବୋଲାଇବ । ମହାରାଷ୍ଟ୍ରର ସାମାଜିକ ପରିସ୍ଥିତି ଆହୁରି ରସାତଳକୁ ଚାଲିଗଲାଣି । ବିଭିନ୍ନ ରାଜ୍ୟରୁ ଆସି ମହାରାଷ୍ଟ୍ରରେ ଚାକିରି ଓ ବ୍ୟବସାୟ କରୁଥିବା ଲୋକମାନଙ୍କ ପ୍ରତି ମରାଠୀ ଲୋକଙ୍କ ଉତ୍ପାତ ଦିନକୁ ଦିନ ବଳାଇଲାଣି ।