କୋଭିଡ୍‌-୧୯ ହସ୍ପିଟାଲ୍‌ ତଦାରଖ ପାଇଁ କେନ୍ଦ୍ର ସରକାରଙ୍କ କମିଟି ଗଠନ

ନୂଆଦିଲ୍ଲୀ: ସରକାରୀ ଏବଂ ଅନ୍ୟ କୋଭିଡ୍‌ ହସ୍ପିଟାଲ୍ ଇନ୍ସପେକ୍ସନ୍ ଲାଗି କେନ୍ଦ୍ର ସରକାର ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଦେଶର ବିଭିନ୍ନ ହସ୍ପିଟାଲ୍‌ରେ କରୋନାଭାଇରସ୍ ରୋଗୀମାନଙ୍କ ଅବହେଳା ପରିଲକ୍ଷିତ ହେଉଥିବା କଥା ଜାଣିବା ପରେ ସୁପ୍ରିମ୍ କୋର୍ଟ ସରକାରଙ୍କୁ ଏହାର ପ୍ରତିକାର ଲାଗି ନିର୍ଦେଶ ଦେଇଥିଲେ।

କୋଭିଡ୍-୧୯ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଓ ଅନ୍ୟ ଡାକ୍ତରଖାନାଗୁଡ଼ିକୁ ଯାଞ୍ଚ, ସର୍ବେକ୍ଷଣ ଏବଂ ପଥପ୍ରଦର୍ଶନ କରିବା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଗଠିତ ଏହି ବିଶେଷଜ୍ଞ କମିଟିକୁ ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ବିନୀ ଚୌବେ ଆଜି ରାଜ୍ୟସଭାରେ ଏ କଥା କହିଛନ୍ତି। କୋଭିଡ୍-୧୯ ପରୀକ୍ଷା ଓ ଚିକିତ୍ସା ନିମନ୍ତେ ସୁଲଭ ମୂଲ୍ୟ ଧାର୍ଯ୍ୟ କରିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି।

ଅନ୍ୟପଟେ ଲାବ୍ରୋଟେରି ରିପୋର୍ଟକୁ ଅପେକ୍ଷା ନ କରି ସନ୍ଦିଗ୍ଧ କୋଭିଡ୍-୧୯ ରୋଗୀମାନଙ୍କ ଶବକୁ ତୁରନ୍ତ ସେମାନଙ୍କର ଆତ୍ମୀୟମାନଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଉପଦେଶନାମା ଜାରି କରାଯିବ କଥା ସେ କହିଛନ୍ତି । କିନ୍ତୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ମାର୍ଗଦର୍ଶିକା ଓ ଶବ ପରିଚାଳନା ଆଧାରରେ ଏହି ଶବ ହସ୍ତାନ୍ତର କରାଯିବା ଉଚିତ।