‘ହାଲୋ ବ୍ରଦର’: ମୋଦୀ-ଜିନପିଙ୍ଗ ଭେଟ

ନୂଆଦିଲ୍ଲୀ: ଜୋହାନ୍ସବର୍ଗରେ ଆରମ୍ଭ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିତରେ ସାକ୍ଷାତ ଆଲୋଚନା ଶେଷ ହୋଇଯାଇଛି । ଦୁଇନେତାଙ୍କ ଭିତରେ ବେଶ କିଛି ସମୟ ଆଲୋଚନା ଆଶା କରାଯାଉଥିଲା । ମାତ୍ର ସେଭଳି କିଛି ଲକ୍ଷଣ ପ୍ରକାଶ ପାଇ ନଥିଲା । ଦୁଇନେତା ପରସ୍ପରକୁ ଦେଖି କରମର୍ଦ୍ଦନ କରିଥିଲେ । ସେତିକି ଭିତରେ ଜିନପିଙ୍ଗ କହିଥିଲେ, ହାଲୋ ବ୍ରଦର । ସବୁ କିଛି ଭଲ ତ? ମନ୍ଦମନ୍ଦ ହାସରେ ପାଲଟା ଜବାବ ଦେଇ କହିଥିଲେ ମୋଦୀ- ଭେରି ଫାଇନ ବ୍ରଦର । ବାସ ସେତିକିରେ ମୋଦୀ-ଜିନପିଙ୍ଗ ଆଲୋଚନା ଶେଷ ହୋଇଗଲା ।

ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ନେତାମାନେ ଗୋଟିଏ ମଂଚରେ ଏକାଠି ହୋଇ ବିଶ୍ୱ ଅର୍ଥନୀତିରେ ସେମାନଙ୍କର ସ୍ଥିତି ଓ ଭବିଷ୍ୟତକୁ ଅଣ୍ଡାଳି ଥିଲେ । ଆଗାମୀ ଦିନରେ ଭାରତ ଏକ ଶକ୍ତିଶାଳୀ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ ହେବ ବୋଲି ମୋଦୀଜୀ ଦୃଢ଼ତାର ସହିତ ମତପୋଷଣ କରିଥିଲେ ।

କରୋନା ମାଡ଼ରେ ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଭାରତର ଆର୍ଥିକ ସ୍ଥିତି ବେଶ ସନ୍ତୋଷଜନକ ଥିଲା । ଏହି ସମ୍ମିଳନୀରୁ ଭାରତ ଯାହା ଆଶା କରୁଥିଲା, ସେଭଳି କିଛି ପାଇବାର ଲକ୍ଷଣ ଦେଖାଯାଉନି । ଚୀନ ସହିତ ଭାରତର ସୀମା ବିବାଦର ସରଳ ସମାଧାନ ହୋଇପାରିବନି । ଚୀନ ରାଷ୍ଟ୍ରପତିଙ୍କର ଦୁଇମୁଣ୍ଡିଆ କୂଟନୀତି ଭାରତକୁ ଫଳପ୍ରଦ ହେବନି ।

ଏହା ପୂର୍ବରୁ ଜି-୨୦ ଶିଖର ସମ୍ମିଳନୀରେ ମୋଦୀ-ଜିନପିଙ୍ଗ ନୈଶଭୋଜିରେ ଏକତ୍ରିତ ହୋଇଥିଲେ । ସେତେବେଳେ ପୂର୍ବ ଲଦାଖ ଅନ୍ତର୍ଗତ ଗଲୱାନ ଉପତ୍ୟକାରେ ଶାନ୍ତି ବିରାଜମାନ କ୍ଷେତ୍ରରେ ଜିନପିଙ୍ଗଙ୍କ ନିକଟରୁ ବହୁତ କିଛି ଆଶା କରାଯାଉଥିଲା ।
ଚୀନ-ଭାରତ ସୀମା ବିବାଦର ସମାଧାନ ପାଇଁ କମାଣ୍ଡର ସ୍ତରରେ ବହୁବାର ଆଲୋଚନା ହୋଇଛି । ମାତ୍ର ସେ ଆଲୋଚନାରୁ କିଛି ସୁଫଳ ମିଳିନି ।