କେତେ ସତ! ଟଙ୍କା ପାଇଁ ମହିଳା ଓ ଶିଶୁଙ୍କ ମୁଣ୍ଡ ନେଉଛି ହମାସ୍‌

ଇସ୍ରାଏଲ ସେନା ପକ୍ଷରୁ ଜାରି କରାଯାଇଥିବା ଗୋଟିଏ ଭିଡିଓରେ ଶୁଣିବାକୁ ମିଳିଛି ଯେ ପାଲେଷ୍ଟିନୀୟଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ୍‌ ଦାୟୀ ନୁହେଁ । ଟଙ୍କା ପାଇଁ ହମାସ୍‌ ଆତଙ୍କୀମାନେ ପାଲେଷ୍ଟିନୀୟଙ୍କ ଜୀବନ ନେଉଛନ୍ତି । ପାଲେଷ୍ଟିନୀୟ ମହିଳା ଓ ପିଲାଙ୍କୁ କଲବଲ କରି ମାରିବା ପଛରେ ହମାସ୍‌ ସଂଗଠନର ଟଙ୍କା ଆଦାୟ ନିଶାକୁ ଦାୟୀ କରାଯାଇଛି ।  ଭିଡିଓଟିରେ ଏହି ସୂଚନା ଦେଉଥିବା ଯୁବକଜଣକ ଜଣେ ହମାସ ଆତଙ୍କୀର ପୁଅ ବୋଲି ଇସ୍ରାଏଲ୍‌ ସେନା ଦାବି କରୁଛି । ହମାସ ସଂଗଠନର ପ୍ରତିଷ୍ଠାତା ସଭ୍ୟ ଶେଖ ହସନ୍‌ ୟୁସୁଫଙ୍କ ପୁଅ ନୋସାବ ହସନ୍‌ ୟୁସୁଫ ହମାସ କବଳରୁ ଖସି ଆସିବା ପରେ ଇସ୍ରାଏଲ୍‌ ସେନା ଆଗରେ ଏସବୁ ବଖାଣିଛି ।

ୟୁସୁଫ ପୁଣି କହିଛି, ‘ହମାସକୁ ଯେତେବେଳେ ଟଙ୍କାର ଆବଶ୍ୟକତା ପଡେ, ସେତେବେଳେ ପାଲେଷ୍ଟିନୀୟ ମହିଳା ଓ ପିଲାଙ୍କୁ ଶିକାର କରେ । ଆପଣା ଶକ୍ତି ବଢ଼ାଇବା ଓ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ହମାସ ଏଭଳି ହୀନ କାର୍ଯ୍ୟ କରୁଛି ।’

ୟୁସୁଫର ସୂଚନାକୁ ଯଦି ସତ ଧରି ନିଆଯାଏ, ତେବେ ସବୁ ବିବାଦର ମୂଳ ହମାସ୍‌ । ହମାସକୁ ରକ୍ଷା କରିବା ପାଇଁ ଲେବାନନ ଓ ୟେମେନ ଇସ୍ରାଏଲ ଓ ଆମେରିକା ସହ ବଳ କଷିବାକୁ ଆଗଭର ।

ୟୁସୁଫ କହିଛି, ହମାସ ପକ୍ଷରୁ ଇସ୍ରାଏଲ ସେନା ଉଦ୍ଦେଶ୍ୟରେ ଛଡ଼ା ଯାଇଥିବା ରକେଟ୍‌ ବିଫଳ ହୋଇ ହସ୍ପିଟାଲକୁ ଆଘାତ କଲା । ଫଳରେ ସେଠାରେ ଆଶ୍ରୟ ନେଇଥିବା ଶତାଧିକ ମହିଳା ଓ ପିଲାମାନଙ୍କ ସମେତ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ମୃତାହତ ହେଲେ । ପାଲେଷ୍ଟାଇନ୍‌ ଦେଶ ପ୍ରତିଷ୍ଠା କରିବା ହମାସର ପ୍ରକୃତ ଲକ୍ଷ୍ୟ ନୁହେଁ ବରଂ ଇସ୍ରାଏଲକୁ ମୂଳପୋଛ କରିବା ହମାସର ଅସଲ ଉଦ୍ଦେଶ୍ୟ ।