ଭାରତର କ୍ରିକେଟ୍ ନିଶାକୁ ଶହେ ସଲାମ: ୱାଙ୍ଖଡେ ଷ୍ଟାଡିୟମରେ ସଚିନଙ୍କ ପ୍ରତିମା ଠିଆ କଲା ମହାରାଷ୍ଟ୍ର

କ୍ରିକେଟ୍‌ ଜଗତର ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ହସହସ ଭରା ପ୍ରତିମାକୁ ୱାଙ୍ଖଡେ ଷ୍ଟାଡିୟମରେ ଠିଆ କରିଛନ୍ତି ମହାରାଷ୍ଟ୍ର ସରକାର । ୱାଙ୍ଖଡେ ଷ୍ଟାଡିୟମ ସଚିନଙ୍କ କ୍ରିକେଟ୍‌ ଜୀବନର ଏନ୍ତୁଡ଼ିଶାଳ । ପ୍ରତିମା ଅନାବରଣ ସମୟରେ ଖୋଦ୍‌ ସଚିନ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ମର୍ଯ୍ୟାଦା ପୁରୁଷୋତମ ରାମଚନ୍ଦ୍ର ଜୀବିତ ଥିବା ଅବସ୍ଥାରେ ନିଜର ମନ୍ଦିରଟିଏ ନିର୍ମାଣ କରିଥିବାର କୌଣସି ସୂଚନା ରାମାୟଣରେ ନାହିଁ । ମାତ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜୀବଦଶାରେ ତାଙ୍କରି ନାମରେ ଗୁଜରାଟରେ ଷ୍ଟାଡିୟମଟିଏ ପ୍ରତିଷ୍ଠା କରିଛନ୍ତି । ଏବେ ସଚିନଙ୍କ ଜୀବଦଶାରେ ୱାଙ୍ଖଡେ ଷ୍ଟାଡିୟମରେ ସଚିନଙ୍କ ପ୍ରତିମା ପ୍ରତିଷ୍ଠା କରାଯାଇଛି । ଭାଗ୍ୟ  ଭଲ, ୱାଙ୍ଖଡେ ଷ୍ଟାଡିୟମଟି ସଚିନଙ୍କ ନାମରେ ନାମିତ ହୋଇନି । ଆଗକୁ ତାହା ନଘଟିବ ବୋଲି କିଏ କହିବ!

କ୍ରିକେଟ୍‌ ଦୁନିଆରେ ସଚିନଙ୍କ କୃତିତ୍ୱ ସଂପର୍କରେ ଆମ ମନରେ ସାମାନ୍ୟ ସନ୍ଦେହ ନାହିଁ । କିନ୍ତୁ ସଚିନଙ୍କ ଜୀବିତାବସ୍ଥାରେ ମହାରାଷ୍ଟ୍ର ସରକାରଙ୍କ ପ୍ରତିମା ରାଜନୀତିଟା ଟିକେ ଅଧିକ ହୋଇଯାଇନି ତ?

ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସଚିନଙ୍କର କଂସାରେ ତିଆରି ଚକମକ୍‌ ପ୍ରତିମାକୁ ଅନାବରଣ କରିଛନ୍ତି । ସେହି ଅବସରରେ ସଚିନଙ୍କ ସଂପୂର୍ଣ୍ଣ ପରିବାର, କ୍ରୀଡ଼ାମନ୍ତ୍ରୀ ସଂଜୟ ବନସୋଡେ, ଏନସିପି ନେତା ଶରଦ ପୱାର, ବିସିସିଆଇ ଅଧ୍ୟକ୍ଷ ରାଜୀବ ଶୁକ୍ଲା, ବିସିସିଆଇ ସଚିବ ଜୟ ଶାହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଏମସିଏ ଦ୍ୱାରା ନିର୍ମିତ ପ୍ରତିମାକୁ ତିଆରି କରିଛନ୍ତି ଅହମଦନଗର ଶିଳ୍ପୀକାର ପ୍ରମୋଦ କାମ୍ବଲେ ।

ଆଜକୁ ୧୦ ବର୍ଷ ପୂର୍ବେ ୨୦୧୩ ନଭେମ୍ବରରେ ୱାଙ୍ଖଡେ ଷ୍ଟାଡିୟମରେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । ଉକ୍ତ ଷ୍ଟାଡିୟମରୁ ସଚିନ ତାଙ୍କର କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ । ୨୦୧୧ ବିଶ୍ୱକପ ଜିତିଥିଲେ ସଚିନ । ସଚିନଙ୍କ ପାଇଁ ମହାରାଷ୍ଟ୍ର ଗର୍ବିିତ ବୋଲି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ।