ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କଠିନ ପରୀକ୍ଷା

କାତାର କବଳରୁ ମୁକୁଳିବେ ୮ ଜଣ ଭାରତୀୟ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ କୂଟନୈତିକ ସଂପର୍କ ପୁଣି ଥରେ ଜନତାଙ୍କ କାଠଗଡ଼ାରେ ଠିଆ ହୋଇଛି । ଅକ୍ଟୋବର ୨୬ ତାରିଖରେ କାତାରର ଗୋଟିଏ ଅଦାଲତ ଭାରତୀୟ ନୌସେନାରୁ ଅବସର ଗ୍ରହଣ କରିଥିବା ୮ ଜଣ କର୍ମଚାରୀଙ୍କୁ ଗୁପ୍ତଚରଗିରି ଅପରାଧରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ । ପ୍ରାଣ ଦଣ୍ଡାଦେଶକୁ ଉଚ୍ଚ ଅଦାଲତରେ ଅପିଲ କରିବା ପାଇଁ ୧୫ ଦିନ ପାଇଁ ସମୟ ରହିଛି । ଇତି ମଧ୍ୟରେ ୬ ଦିନ ବିତିଗଲାଣି । ଆଉ ହାତରେ ରହିଛି ୯ ଦିନ ।

ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଅକ୍ଟୋବର ୩୦ ତାରିଖରେ  ପ୍ରାଣ ଦଣ୍ଡାଦେଶ ପାଇଥିବା ଭାରତୀୟଙ୍କ ପରିବାରକୁ ଭେଟି ଆଶ୍ୱାସନା ପ୍ରଦାନ କରିଥିଲେ । ଦଣ୍ଡାଦେଶ ପାଇଥିବା ଭାରତୀୟମାନେ ନୌସେନାର ପୂର୍ବତନ କର୍ମଚାରୀ ହୋଇଥିବାରୁ ଭାରତ ସରକାରଙ୍କ ପାଇଁ ସମ୍ମାନର ପ୍ରଶ୍ନ ।

କାତାର କବଳରୁ ପୂର୍ବତନ ନୌସେନା କର୍ମଚାରୀଙ୍କୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆମେରିକାର ସହାୟତା ଲୋଡ଼ିଛନ୍ତି ।

ବିଗତ ୧୪ ମାସ ଧରି ଅବସରପ୍ରାପ୍ତ ନୌସେନା କର୍ମଚାରୀ ବିଦେଶରେ ବନ୍ଦୀ ଅଛନ୍ତି । ସେମାନଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଉଛି । କିନ୍ତୁ ସେ ସଂପର୍କରେ ଭାରତ ସରକାରଙ୍କ ନିକଟରେ ସାମାନ୍ୟ ସୁରାକ ନାହିଁ ।

ଘଟଣାଟି ଗଣମାଧ୍ୟମ ଦୃଷ୍ଟିକୁ ଆସିବା ପରେ ମୋଦି ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଆମେରିକା ସହ ମୋଦି ସରକାରଙ୍କ କୂଟନୈତିକ ସଂପର୍କ କେତେ ଘନିଷ୍ଠ, ତାହା ଆଗାମୀ ୧୦ ଦିନ ଭିତରେ ଜଣାପଡ଼ିଯିବ । ମୋଦିଙ୍କ କୂଟନୈତିକ ବିଜୟ ଉପରେ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ନିର୍ଭର କରୁଛି ।