ପାଣ୍ଡିୟାନଙ୍କ ଭୋକକୁ ବଳିଗଲା କନଷ୍ଟେବଲଙ୍କ ଭୋକ

କାହାକୁ ଅଛପା ନାହିଁ ପୁଲିସ ବିଭାଗର ଗୁମର

ଗଞ୍ଜେଇ ଚାଷୀମାନେ ବଡ଼ ଚାଲାକ? ବେଆଇନ ଗଞ୍ଜେଇ ଚାଷ କରି ମାଲାମାଲ ହେବାକୁ ବସିବେ । ଆଇନ ଆଖିରେ ଧୂଳି ପକାଇବା ପାଇଁ କନଷ୍ଟେବଲ ଟଙ୍କା ମାଗିବାରୁ ଭିଜିଲାନ୍ସ ହାତରେ ଧରାଇଦେବେ । ବଡ଼ ବଡ଼ ମାଛ କୋଟିକୋଟି ଟଙ୍କା ଚଳୁ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗେହ୍ଲାପୁଅ ହୋଇଗଲା । ଛାର କନଷ୍ଟେବଲଟିକୁ ମାଡ଼ିବସି ଭିଜିଲାନ୍ସ ପାରିବାପଣିଆ ଦେଖାଉଛି ।  ଭିଜିଲାନ୍ସ ଯଦି ଏତେ ଚାଲାକ ଥିଲା, ପୁଲିସ ଅଧିକ୍ଷକ ତାଙ୍କ ଭାଗ କନଷ୍ଟେବଲଙ୍କଠାରୁ ନେବା ପର୍ଯ୍ୟନ୍ତ ଅପେକ୍ଷା କଲାନି କାହିଁକି?

ଏମିତି ଗୋଟିଏ ଘଟଣାରେ ପୁଲିସକୁ ଧରିଛି ପୁଲିସ । ସାଧାରଣ ଜନତାଙ୍କ ଆଖିରେ ବେଜିତ୍‌ ହୋଇଛି ପୁଲିସ ।

ଭିଜିଲାନ୍ସରେ କାର୍ଯ୍ୟରତ କର୍ମଚାରୀମାନେ କ’ଣ ପୁଲିସ ବିଭାଗ ଅଧିନରେ କାମ କରୁନାହାନ୍ତି? ଆମେ ବୌଦ୍ଧଜିଲ୍ଲାର ଭିତିରି କଥା କହୁଛୁ । ସେଠାକାର ଘଂଚ ବନାନୀ ଭିତରେ କୋଟିକୋଟି ଟଙ୍କାର ଗଞ୍ଜେଇ ଚାଷ ସଂପର୍କରେ ରାଜ୍ୟ ସରକାର ଭଲ ଭାବେ ଅବଗତ । ଶୁଣିବାକୁ ମିଳୁଛି, ବୌଦ୍ଧଜିଲ୍ଲାର ରାଜନେତାମାନେ  ମଧ୍ୟ ଗଞ୍ଜେଇ ଚାଷୀଙ୍କ ସହିତ ଭଲ ସଂପର୍କ ରଖିଛନ୍ତି । ଗଞ୍ଜେଇ ଚାଷୀଙ୍କ ଟଙ୍କାରେ ରାଜନୀତି କରୁଛନ୍ତି ।

ମାର ମାର ଭଣ୍ଡାରିଆକୁ ମାର’ ନୀତିରେ ବିଚରା କନଷ୍ଟେବଲଟା ଫସିଗଲା । ଆମେ ବୌଦ୍ଧଜିଲ୍ଲା ପୁଲିସ ଅଧିକ୍ଷକଙ୍କ ସ୍ୱତନ୍ତ୍ର ସ୍କ୍ୱାଡ୍‌ ସଭ୍ୟ ହରିଶ ଚନ୍ଦ୍ର ସାହୁଙ୍କ କଥା କହୁଛୁ । ପୁଲିସ ଅଧିକ୍ଷକଙ୍କ ଅଧିନରେ କାର୍ଯ୍ୟରତ କନଷ୍ଟେବଲ ହରିଶ କାହା ସାହସରେ ୬ ଲକ୍ଷ ଧରି ଥାନାକୁ ଯାଉଥିଲା, ତାହା ଏବେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ । ହୁଏତ ଚାକିରି ଚାଲିଯିବା ଭୟରେ କନଷ୍ଟେବଲ ହରିଶ ପୁଲିସ ଅଧିକ୍ଷକ ଲାଂଚଟଙ୍କା ନେଉଥିବା ବିଷୟ ଭିଜିଲାନ୍ସକୁ ଜଣାଇନି ।

ସୂଚନାଯୋଗ୍ୟ, ଗଞ୍ଜେଇ ଚାଷୀଙ୍କ ନିକଟରୁ ୬ ଲକ୍ଷ ଟଙ୍କା ଧରି ବଘିଆପଡ଼ା ଫାଣ୍ଡିକୁ ଯାଉଥିବା ବାଟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲା । ଶୁଣିବାକୁ ମିଳୁଛି, କନଷ୍ଟେବଲ ହରିଶ ଜଣେ ପେସାଦାର ଲାଂଚୁଆ । ପୂର୍ବତନ ପୁଲିସ ଅଧିକ୍ଷକଙ୍କ ନାଁରେ ଟଙ୍କା ଆଦାୟ କରି ଫସିଥିଲା, ଚାକିରିରୁ ବହିଷ୍କାର କରାଯାଇଥିଲା । ପୁଣି ଥରେ ଚାକିରିରେ ଅବସ୍ଥାପିତ ହୋଇ ପୁଲିସ ଅଧିକ୍ଷକଙ୍କ ସ୍ପେଶାଲ ସ୍କ୍ୱାଡ୍‌ ଭିତରେ ସ୍ଥାନ ପାଇଥିଲା ।

ଜଣେ ପେସାଦାର ଲାଂଚୁଆ କଳଙ୍କ ମୁଣ୍ଡାଇଥିବା କର୍ମଚାରୀକୁ ପୁଣି ଥରେ ବିଭାଗରେ ଅବସ୍ଥାପିତ କରାଗଲା କାହିଁକି? ଯୋଉ ମାମଲାରେ ତାକୁ ଚାକିରିରୁ ବହିଷ୍କାର କରାଗଲା, ସେଥିରେ ତାକୁ ନିର୍ଦ୍ଧୋଷ କରାଯିବା ପରେ ତ? ପୁଲିସ ବିଭାଗରେ କୋଉ ନିୟମରେ ରହିଛି ଯେ ଗୋଟିଏ ମାମଲାରେ ଧରାପଡ଼ି ଚାକିରିରୁ ତଡ଼ା ଖାଇବା ପରେ ପୁଣି ତାକୁ ଚାକିରିରେ ଅବସ୍ଥାପିତ କରିବା ଜରୁରୀ?