ସନାତନ ଧର୍ମକୁ ଫେରିଲେ ଶତାଧିକ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ସନାତନ ଧର୍ମକୁ ଫେରିବା ଅଭିଯାନ ଆରମ୍ଭ ହୋଇଛି….

ମିରଟ: ୟୁପିର ବୁଲନ୍ଦସହର ଜିଲ୍ଲାର ଖୁର୍ଜା ଅନ୍ତର୍ଗତ କାଳିନ୍ଦିକୁଞ୍ଜ ଅଂଚଳରେ ଥିବା ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଆନୁକୂଲ୍ୟରେ ‘ଘର ୱାପସୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୨୦ଟି ପରିବାରର ଶତାଧିକ ଲୋକ ସନାତନ ଧର୍ମକୁ ଫେରିଥିଲେ । ବିଜେପି ବିଧାୟିକା ମୀନାକ୍ଷୀ ସିଂହଙ୍କ ଉପସ୍ଥିତିରେ ଏହିସବୁ କାର୍ଯ୍ୟ ସମ୍ପାଦନ ହୋଇଥିଲା ।

ଇଂରେଜ ଶାସନ କାଳରେ ଖ୍ରୀଷ୍ଠିୟାନ ଧର୍ମକୁ ଆଦରି ନେଇଥିବା ପରିବାର ଆଇନ ଅନୁସାରେ ପୂର୍ବ ଧର୍ମକୁ ଫେରିଥିବାରୁ ସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ସନାତନ ଧର୍ମକୁ ଫେରିବା ଅଭିଯାନ ଆରମ୍ଭ ହୋଇଛି । ବିଧାୟିକା ସିଂହ କହିଛନ୍ତି, ସଂପୃକ୍ତ ପରିବାର କୌଣସି ବାଧ୍ୟବାଧକତାର ଶିକାର ହୋଇ ସନାତନ ଧର୍ମକୁ ଫେରିଛନ୍ତି ।

ସୂଚନାଯୋଗ୍ୟ, ସନାତନ ଧର୍ମକୁ ଫେରିଥିବା ପରିବାର ଖ୍ରୀଷ୍ଟିୟାନ ଧର୍ମରେ ଦୀକ୍ଷିତ ଥିଲେ । ସ୍ଥାନୀୟ ଏସ୍‌ଡିଏମ୍‌ ଲଭି ତ୍ରିପାଠୀ ମିଡିଆ ଆଗରେ କହିଛନ୍ତି ଯେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାରେ ଏଭଳି ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ସଂପର୍କରେ ତାଙ୍କୁ ନିକଟରେ କୌଣସି ସୂଚନା ନାହିଁ । ଜଣେ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ସମାନ ମତ ପ୍ରକାଶ କରିଛନ୍ତି ।