ସାମ୍ବିଧାନିକ ପଦବୀଧାରୀଙ୍କ ଅଜବ ଲାଳସା

ଜଷ୍ଟିସ୍‌ ଲଲିତଙ୍କ ପାଖରେ ଖଟୁଛନ୍ତି ୨୮ କର୍ମଚାରୀ….

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁୟୁ ଲଲିତଙ୍କ ନିକଟରେ ଏବେ ଅନ୍ୟୁନ ୨୮ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ସବୁ କର୍ମଚାରୀଙ୍କ ଦରମା ଓ ଆନୁସଙ୍ଗିକ ଭତା ଯୋଗାଇ ଦେଉଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଦାୟିତ୍ୱରେ ଥିଲାବେଳେ ଜଷ୍ଟିସ ଲଲିତଙ୍କ ପାଖରେ ୪୦ରୁ ଅଧିକ କର୍ମଚାରୀ କାମ କରୁଥିଲେ ।

ଜଷ୍ଟିସ ଲଲିତ ୭୪ ଦିନ ପାଇଁ ଭାରତର ପ୍ରଧାନ ବିଚାରପତି ଥିଲେ । ସୂଚନା ମୁତାବକ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାଦ୍‌ ଦେଲେ ଅନ୍ୟ କୌଣସି ସାମ୍ବିଧାନିକ ପଦବୀଧାରୀଙ୍କ ନିକଟରେ ଏତେ ସଂଖ୍ୟକ କର୍ମଚାରୀ କାମ କରୁଥିବାର ନଜିର ନାହିଁ ।

ଜଷ୍ଟିସ୍‌ ଲଲିତ ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ନଭେମ୍ବର ୮ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିଲା । ଅବସର ଗ୍ରହଣ କରିବା ପରେ ନ୍ୟାୟାଳୟ ପକ୍ଷରୁ ନିଯୁକ୍ତ କର୍ମଚାରୀମାନେ ପୂର୍ବ ସ୍ଥାନକୁ ଫେରିଯିବା କଥା । ମାତ୍ର ଦେଢ଼ମାସରୁ ଅଧିକ ଦିନ ହୋଇଗଲାଣି, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଲଲିତଙ୍କ ପାଖରେ ରହି ଯାଇଛନ୍ତି ୨୮ ଜଣ କର୍ମଚାରୀ ।

ଜଷ୍ଟିସ୍‌ ଲଲିତଙ୍କ ପୂର୍ବରୁ ଯେଉଁମାନେ ପ୍ରଧାନ ବିଚାରପତି ଦାୟିତ୍ୱରେ ଥିଲେ । ସେମାନଙ୍କ ଅଫିସ ଓ ବାସଭବନରେ ସର୍ବାଧିକ କର୍ମଚାରୀଙ୍କ ସଂଖ୍ୟା ୧୨-୧୫ ଭିତରେ ସୀମିତ ଥିଲା । ଅବସର ଗ୍ରହଣ କରିବା ପରେ ସେମାନଙ୍କ ପାଖରେ କର୍ମଚାରୀଙ୍କ ସଂଖ୍ୟା ସର୍ବାଧିକ ୩ରେ ସୀମିତ ଥିଲା । ମାତ୍ର ଜଷ୍ଟିସ୍‌ ଲଲିତ ସେମାନଙ୍କୁ ବଳି ଯାଇଛନ୍ତି ।

ଏଠାରେ ଜଣାଇ ଦେଉଛୁ ଯେ ଅବସରପ୍ରାପ୍ତ ପ୍ରଧାନ ବିଚାରପତିଙ୍କ ଦିଲ୍ଲୀ ରହଣି ସମୟରେ ସୁପ୍ରିମକୋର୍ଟ ପକ୍ଷରୁ ସହାୟକ କର୍ମଚାରୀ ଯୋଗାଇ ଦିଆଯାଏ । ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଆପଣା ରାଜ୍ୟରେ ଅବସ୍ଥାନ ପାଇଁ ଆଗ୍ରହ ପ୍ରକାଶ କଲେ, ସଂପୃକ୍ତ ରାଜ୍ୟର ହାଇକୋର୍ଟ ପକ୍ଷରୁ ଘରୋଇ ସହାୟକ ଯୋଗାଇ ଦିଆଯାଇଥାଏ ।