ଚୀନରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ

କରୋନାର ବିଏଫ୍‌.୭ ପ୍ରଜାତି ଏବେ ସମଗ୍ର ଚୀନକୁ ଘାଂଟୁଛି….

ବେଜିଂ: ଚୀନରେ କରୋନାର ଭୟଙ୍କର ରୂପ ସାରାବିଶ୍ୱକୁ ଛାନିଆ କଲାଣି । ୨୦୧୯ ସେପ୍ଟେମ୍ବରରୁ ଚୀନର ୟୁହାନ୍‌ ପ୍ରଦେଶରେ ପାଦ ଦେଇଥିବା କରୋନା କ୍ରମେ ସାରାବିଶ୍ୱକୁ ଗ୍ରାସ କରିଥିଲା । ଏବେ ସେଭଳି କିଛି ଘଟିବାକୁ ଯାଉନି ତ! ଏହିପରି ଏକ ଅଜଣା ଭୟ ଦୁନିଆକୁ ଆଚ୍ଛାଦିତ କରିରଖିଛି । କରୋନା ପ୍ରଥମ ପର୍ଯ୍ୟାୟରେ ସାରାବିଶ୍ୱକୁ ଅନ୍ଧାରରେ ରଖି ଚୀନ୍‌ ପରେ ବଦନାମକୁ ମୁଣ୍ଡାଇଥିଲା । ତା’ପରେ ମଧ୍ୟ ଚୀନ ତା’ର ହୀନ ଆଚରଣକୁ ଛାଡ଼ିପାରିନି ।

କରୋନାର ବିଏଫ୍‌.୭ ପ୍ରଜାତି ଏବେ ସମଗ୍ର ଚୀନକୁ ଘାଂଟୁଛି । ଚୀନ ଜନତାଙ୍କର ବୁକୁଫଟା ଚିକ୍ରାର ଶୁଣିବାକୁ ଜିନ୍‌ପିଙ୍ଗ ସରକାରଙ୍କ ପାଖରେ ସିନା ସମୟ ନାହିଁ । କିନ୍ତୁ ଲୋକଙ୍କର ଆଖିର ଲୁହକୁ ବଖାଣୁଛି ସେଠାକାର ଡାକ୍ତରଖାନା ଓ ମଶାଣି । ଚୀନର କରୋନା ସଂପର୍କୀତ ତଥ୍ୟ ପ୍ରଦାନ କରିଛନ୍ତି ସେଠାରେ ଅବସ୍ଥାନ କରିଥିବା ଜଣେ ଭାରତୀୟ ଡାକ୍ତର । ଚୀନର ଝେଜିୟାଂ ପ୍ରଦେଶରେ ରହୁଥିବା ଡାକ୍ତର ଅଭିଷେକ କୁଣ୍ଡୁଙ୍କ ସୂଚନା ମୁତାବକ ଏବେ ଚୀନରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷ ।

ଫଳରେ ଡାକ୍ତରଖାନାରେ ଶଯ୍ୟାର ଘୋର ଅଭାବ ଦେଖାଦେଇଛି । ଅଧିକ ଶଯ୍ୟା ବୃଦ୍ଧି କରିବା ପାଇଁ ବାରମ୍ବାର କୁହାଯାଉଛି । ମାତ୍ର ତାକୁ ଶୁଣିବାକୁ କେହି ନାହାନ୍ତି । ପୂର୍ବରୁ ଯୋଉ ଡାକ୍ତରଖାନାର ପ୍ରଥମ ଦୁଇଟି ମହଲାରେ କେବଳ କରୋନା ରୋଗୀ ରହୁଥିଲେ । ଏବେ ସେଇ ଡାକ୍ତରଖାନାରେ ପ୍ରଥମ ଚାରିଟି ମହଲାରେ କରୋନା ରୋଗୀ ରହୁଛନ୍ତି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷରୁ କମୁନାହିଁ ।