ଛାତ୍ରଙ୍କ ଆତ୍ମହତ୍ୟା ମାମଲା: ଆଇଆଇଟି ମାଡ୍ରାସ୍‌ ପ୍ରଫେସର୍‌ ନିଲମ୍ବିତ

ମାଡ୍ରାସରେ ପ୍ରତିଷ୍ଠିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ସଂସ୍ଥାନର ପିଏଚ୍‌ଡି ସୁପରଭାଇଜର ଆଶିଷ ସେନଙ୍କୁ ନିଲମ୍ବନ କରିଛି ପରିଚାଳନା କମିଟି ।
ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ଆଗତ ଅଭିଯୋଗର ବିଚାର କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ମୃତ ପିଏଚ୍‌ଡି ସ୍କଲାର୍‌ ମେଡିକାଲ ଇଞ୍ଜିନିୟରିଂ ବିଭାଗରେ ଅଧ୍ୟୟନ କରୁଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ସଂପୃକ୍ତ ଛାତ୍ର ତାଙ୍କ ହ୍ୱାଟ୍‌ସଆପ୍‌ ଷ୍ଟାଟସ୍‌ରେ ଲେଖିଥିଲେ, ଆଇ ଆମ୍‌ ସରି, ଆଇ ଆମ୍‌ ନଟ୍‌ ଏନଫ୍‌’ ।

ଗତ ଫେବ୍ରୁଆରୀ ମାସରୁ ଏ ଯାବତ୍‌ ଆଇଆଇଟି ମାଡ୍ରାସରେ ତିନିଜଣ ଛାତ୍ର ଆତ୍ମହତ୍ୟା କରିସାରିଛନ୍ତି । ମୃତ ଛାତ୍ରଙ୍କ ଭାଇ ଆଇଆଇଟି ନିର୍ଦ୍ଦେଶକ ଭି କାମକୋଟିଙ୍କ ନିକଟକୁ ଇ-ମେଲ୍‌ ଜରିଆରେ ହିନ୍ଦିଭାଷାରେ ଲିଖିତ ୬ ପୃଷ୍ଠାର ଚିଠି ପଠାଇଥିଲେ ।

ଉକ୍ତ ଚିଠିରେ ସେ ଲେଖିଥିଲେ, ମୃତ ଛାତ୍ରଜଣକ ମାନସିକ ଚାପରେ ପୀଡ଼ିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ସେବନ କରୁଥିଲେ । ଡାକ୍ତରଙ୍କ ପରାମର୍ଶ ମୁତାବକ ଜୀବନଯାପନ କରୁଥିଲେ । କିନ୍ତୁ ପ୍ରଫେସର ଆଶିଷ ସେନ ମୃତ ଛାତ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ଅପମାନିତ କରୁଥିଲେ ଯାହା ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲା ।