‘ପାଣ୍ଡିୟାନଙ୍କୁ ପାଇ ବିଜେଡି ଖୁସି, ବିଜଦ ନୁହେଁ’

ବିଜେଡିର ବରିଷ୍ଠ ଓ ବଳିଷ୍ଠ ନେତାଗଣ କରତାଳି ମାରି ଭିକେ ପାଣ୍ଡିୟାନଙ୍କୁ ଆଦରି ନେଇଛନ୍ତି । ମୁଖିଆ ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ସମ୍ମାନ ଜଣାଇଛନ୍ତି । କିନ୍ତୁ ବିଜେଡିର ଗୋଟିଏ ବିଶିଷ୍ଟ ଭାଗ ପାଣ୍ଡିୟାନଙ୍କ ଶାସନ ନୀତିକୁ ବିରୋଧ କରି ଦଳ ଛାଡ଼ିବାକୁ ସଜବାଜ ହେଉଛନ୍ତି ।

ଦଳ ଛାଡ଼ିବା ପାଇଁ ପ୍ରସ୍ତୁତ ହେଉଥିବା କର୍ମୀଙ୍କ ଭିତରୁ ଜଣେ କହିଛନ୍ତି, ପାଣ୍ଡିୟାନଙ୍କ ପାଖରେ ତଳିଆ କର୍ମୀଙ୍କ ହାରିଗୁହାରି ଶୁଣିବା ପାଇଁ ସମୟ ନାହିଁ । ସେ କେବଳ ବିଧାୟକ, ସାଂସଦଙ୍କ କଥା ଶୁଣୁଛନ୍ତି । ନିର୍ବାଚନ ପ୍ରଚାର କାମରେ ନେତାଙ୍କ ଆଗରେ ବାଇକ୍‌ ଚଳାଇବୁ ଆମେ । ପତାକା ଧରିବୁ ଆମେ । ବିରୋଧୀଙ୍କ ଠେଙ୍ଗାମାଡ଼ ପ୍ରଥମେ ଖାଇବୁ ଆମେ । ବିରୋଧୀଙ୍କ ଢେଲମାଡ଼ରେ ପ୍ରଥମେ ଆମ ମୁଣ୍ଡ ଫାଟିବ । କିନ୍ତୁ ସବୁ କ୍ରିମ୍‌ ଆଗ ବଡ଼ନେତାଙ୍କ ଭାଗରେ ପଡ଼ିବ । ବିଜେଡି ଦଳ ପ୍ରତିଷ୍ଠା ସମୟରୁ ଆମେ କାମ କରିଆସୁଛୁ; ମାତ୍ର କିଛି ପାଇନୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମକୁ ସବୁବେଳେ ବ୍ୟବହାର କରି ଆସିଛନ୍ତି; କିନ୍ତୁ ଆମ ଦୁଃଖ ଶୁଣୁନାହାନ୍ତି କି ପ୍ରତିକାର କରୁନାହାନ୍ତି । ପାଣ୍ଡିୟାନଙ୍କ ଆଗମନ ବଡ଼ନେତାଙ୍କୁ ସୁହାଇଛି । ଆମର କିଛି ବଦଳିବାର ନାହିଁ । ଆମେ ପୂର୍ବରୁ ନେତାଙ୍କ ବୋଲକରା ଗୋଠରେ ଥିଲୁ; ରହିବୁ ।

ଆମେ ବିଜୁବାବୁଙ୍କୁ ଭଲ ପାଉଥିଲୁ । ବିଜେଡି ହୋର୍ଡିଂରେ ବିଜୁବାବୁଙ୍କ ଫଟୋ ଦେଖିଲେ ଆମକୁ ଭଲ ଲାଗୁଥିଲା । ଏବେ ବିଜୁବାବୁଙ୍କ ସ୍ଥାନରେ ନବୀନବାବୁଙ୍କ ଫଟୋ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଆମେ ବିଜୁବାବୁଙ୍କ ଓଡ଼ିଶାର ଲୋକ । ‘ନବୀନ ଓଡ଼ିଶା’ରେ ରହିବାର ଅଧିକାର ଆମର ନାହିଁ । ‘ନବୀନ ଓଡ଼ିଶା’ରେ କେବଳ ଠକିଖିଆମାନେ ରହିପାରିବେ । ଆମ ଭଳି ଖଟିଖିଆମାନେ ବିଜୁବାବୁଙ୍କ ଓଡ଼ିଶାରେ ରହିବାକୁ ଫିଟ୍‌ ।

ଶୁଣିବାକୁ ମିଳୁଛି, ପାଣ୍ଡିୟାନଙ୍କ ଯୋଗଦାନକୁ ବିରୋଧ କରି କିଛି ତଳିଆ କର୍ମୀ ଏକଜୁଟ ହୋଇ ବିଜୁ ଜଳକା ଦଳ ଗଠନ କରିଛନ୍ତି । ଉକ୍ତ ଦଳ ନିଜକୁ ‘ବିଜଦ’ ଭାବେ ପରିଚୟ ଦେଉଛି । ବିଜଦ ଆବାହକ ସୀତାରାମ ବେହେରାଙ୍କ ମତରେ ବିଜେଡି ଓ ବିଜଦ ଏକ ନୁହେଁ । ପାଣ୍ଡିୟାନ ‘ବିଜେଡି’ରେ ଯୋଗଦାନ କରିଛନ୍ତି; ‘ବିଜଦ’ରେ ନୁହେଁ ।