ନବୀନ ଓଡ଼ିଶା: ଚଳନ୍ତି ପ୍ରତିମାକୁ ହେଲିକପ୍ଟର, ପିଲାଙ୍କୁ ମିଳୁନି ବ୍ଲାକବୋର୍ଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ଶାସନ ବ୍ୟବସ୍ଥାର ବିଚିତ୍ର ଉଦାହରଣ ଏବେ ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କ ମନକୁ ଜିଣିଛି । ଓଡ଼ିଶାର ଦୁର୍ଗମ ଅଂଚଳର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟର କୋଠରୀକୁ କମାଇବା ସହିତ ବ୍ଲାକବୋର୍ଡ ସଂଖ୍ୟାକୁ ମଧ୍ୟ କମ୍‌ କରି ଦେଇଛନ୍ତି । ଗୋଟିଏ ବ୍ଲାକବୋର୍ଡର ଦୁଇଭାଗ କରି ଏକା ସମୟରେ ଦୁଇଟି ଶ୍ରେଣୀର ପିଲାଙ୍କୁ ପଢ଼ାଉଛନ୍ତି ଦୁଇଜଣ ଶିକ୍ଷକ । ଜଣେ ଶିକ୍ଷକ ଗଣିତ ପଢ଼ାଉଛନ୍ତି ତ ଆଉ ଜଣେ ଇଂରାଜୀ ପଢ଼ାଉଛନ୍ତି ।

ଏମିତି ପାଠପଢ଼ା ଚାଲିଛି କନ୍ଧମାଳ ଜିଲ୍ଲାରେ । ପ୍ରବୀଣ ଶିକ୍ଷାବିତ୍‌ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନାକତଳେ ଏପରି ଉନ୍ନତ ଶିକ୍ଷା ବ୍ୟବସ୍ଥା; ଦେଖିଲେ ଦୁଃଖ ଲାଗୁଛି । ହେଲିକପ୍ଟରରେ ଚଳନ୍ତି ପ୍ରତିମାକୁ ବୁଲାଇବା ପାଇଁ ରାଜକୋଷରୁ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ପିଲାଙ୍କ ପାଠପଢ଼ା ପାଇଁ ଅଧିକ ବ୍ଲାକବୋର୍ଡ କିଣିବାକୁ ସରକାରଙ୍କ ପାଖରେ ଟଙ୍କାର ଅଭାବ ।

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକରେ ରହିଛି କସବସା ସରକାରୀ ଉଚ୍ଚ ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ପଢ଼ାଯାଉଛି । ବିଦ୍ୟାଳୟରେ ପ୍ରାୟ ୨୦୦ ପିଲା ନାମ ଲେଖାଇଛନ୍ତି । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀର ପିଲାଙ୍କୁ ପଢ଼ା ଯାଉଛି ମାତ୍ର ଦୁଇଟି କକ୍ଷରେ । ମାତ୍ର ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ।