ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ମହିଳାଙ୍କୁ ବେଆଇନ ଅଟକ

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଜାମିନ ସମ୍ଭାବନା

ନୂଆଦିଲ୍ଲୀ: ଗୁଜରାଟ ଜେଲରେ ବିଚାରାଧୀନ କୈଦୀ ଅବସ୍ଥାରେ ରହିଛନ୍ତି ମହିଳା ସାମାଜିକ କର୍ମୀ ତିସ୍ତା ଶୀତଲୱାଡ୍‌ । ତାଙ୍କୁ ଜାମିନ ନଦେବାର କୌଣସି କାରଣ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟଙ୍କ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୀତଲୱାଡଙ୍କ ମାମଲାର ବିଚାର କରି କହିଛନ୍ତି ଯେ ଶୀତଲୱାଡ୍‌ ଏପରି କିଛି ଗୁରୁତର ଅପରାଧ କରିନାହାନ୍ତି ଯେଉଁଥିପାଇଁ ତାଙ୍କୁ ଜାମିନ ଦିଆଯିବନି । ସବୁଠାରୁ ଦୁଃଖଦାୟକ ଘଟଣା ହେଉଛି ଯେ ସେ ଜଣେ ମହିଳା । ତାଙ୍କୁ ଦୁଇମାସ ହେଲା ଜେଲରେ ରଖାଯାଇଛି; ପୁଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରୁନାହିଁ । ଏଠାରେ ଜଣାଇ ଦିଆଯାଉଛି, ତିସ୍ତା ଶୀତଲୱାଡଙ୍କୁ ଜୁନ ୨୫ ତାରିଖରୁ ହାଜତରେ ରଖାଯାଇଛି । ତାଙ୍କ ବିରୋଧରେ ଗୁଜରାଟ ସରକାର ଅଭିଯୋଗ କରିଛନ୍ତି ଯେ ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଏକ ମାମଲା ରୁଜୁ କରିବା ପାଇଁ ସେ କାଗଜପତ୍ର ଜାଲିଆତି କରିଛନ୍ତି ।

ନାରୀଜାତିକୁ ସମ୍ମାନ ଦେବାର କଥା କହି ଆସୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜ୍ୟରେ ତିସ୍ତା ଶୀତଲୱାଡଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଉଥିବା କଥା ସୁପ୍ରିମକୋର୍ଟଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି । ଶୁଣିବାକୁ ମିଳୁଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁମତି ବିନା ଗୁଜରାଟରେ ଗଛର ପତ୍ର ହଲେନାହିଁ । ତା’ମାନେ କ’ଣ ବୁଝିବାକୁ ହେବ ଯେ ଗୁଜରାଟରେ ଶୀତଲୱାଡଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ପଛରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତ ରହିଛି ।