ସୁଲୋଚନାଙ୍କ ଭସ୍ମାସୁର ଅବତାର ବିଜେଡିକୁ ଡୁବାଇବ

ସ୍ମାର୍ଟସିଟି ଗନ୍ଧେଇଲାଣି, ବାୟୋମାଇନିଂ ଘୁଂଚିଲା

ଭୋଟ ନେଇଛ କ’ଣ ଆମକୁ ଘାଂଟିବା ପାଇଁ: ବସ୍ତି ମହାସଂଘ

ଭୁବନେଶ୍ୱର: ସୁଲୋଚନା ମ୍ୟାଡାମ୍‌ ଭୁବନେଶ୍ୱର ମହାନଗର ନିଗମର ମେୟର ଆସନ ସମ୍ଭାଳିବା ପରଠାରୁ ପୁଲିସ ଓ ବୁଲଡୋଜର ଟିମ୍‌ ଧରି ଗଳିକନ୍ଦିକୁ ସଫା କରୁଛନ୍ତି । ଭସ୍ମାସୁର ଶିବଙ୍କଠାରୁ ବରଲାଭ କରି ଯେମିତି ଶିବଙ୍କ ନିକଟରେ ପରୀକ୍ଷା କରିବା ଚକ୍କରରେ ଥିଲା । ମ୍ୟାଡାମ୍‌ ଯୋଉ ଗରିବ ଭୋଟରଙ୍କ ବରଲାଭ କରି ମେୟର ହେଲେ; ସେହି ଭୋଟରଙ୍କ ପେଟପାଟଣା ବନ୍ଦ କରିବାକୁ ଅଂଟା ଭିଡିଛନ୍ତି । ୟା’ର ପରିଣାମ ଆଗକୁ ନକହିବା ଭଲ । ଆଗାମୀ ନିର୍ବାଚନରେ ବିଜେଡିକୁ ଘେରିବା ପାଇଁ ପୁରୁଣା ଓ ନୂଆ ଦଳଗୁଡ଼ିକ ସଜବାଜ ହେଲାବେଳେ ସୁଲୋଚନା ମ୍ୟାଡାମଙ୍କ ବେଆଇନ ବସ୍ତି ଓ ଦୋକାନ ଭଙ୍ଗା ଅଭିଯାନ ବିଜେଡି ପାଇଁ ବୁମେରାଂ ହେବ; ଏଥିରେ ଦ୍ୱିମତ ନାହିଁ ।

ସୁଲୋଚନା ମ୍ୟାଡାମ୍‌ ମେୟର ନଥିଲାବେଳେ ବାୟୋମାଇନିଂ ରାଜିନାମା ହୋଇଥିଲା । ଏବେ ଆଗାମୀ ୯ ମାସ ପାଇଁ ବାୟୋମାଇନିଂ ଘୁଂଚିବା ମ୍ୟାଡାମଙ୍କ ପାରିବାପଣିଆକୁ ସଲାମ କରିଛି । ମ୍ୟାଡାମଙ୍କ ‘ମାର ମାର ଭଣ୍ଡାରିଆକୁ ମାର’ ନୀତି ଦଳପତିଙ୍କୁ ଛାନିଆ କଲାଣି । କାଳିଆ ଟଙ୍କା ଦେଇ ଦଳପତି ଭାବିଛନ୍ତି ଆଗାମୀ ନିର୍ବାଚନରେ ବାଜି ମାରିବେ । ମାତ୍ର ସେପରି କିଛି ହେବନି; କାଳିଆ ଟଙ୍କା ରାଜକୋଷରୁ ଦିଆଯାଉଛି, ବିଜେଡି ପାଣ୍ଠିରୁ ଦିଆଯାଉନି । ନବୀନବାବୁଙ୍କ ଜାଗାରେ ଆଉ ଯୋଉ ଦଳ ଆସିବ; କାଳିଆ ଟଙ୍କା ଦେବାକୁ ପଛାଇବ ନାହିଁ କାରଣ ଏ ଯୋଜନା ଭୋଟରଙ୍କୁ ଭୋଟ ବାକ୍ସ ଭିତରେ ପୁରାଇବାର ଯୋଜନା । ଏଭଳି ଯୋଜନାକୁ ବନ୍ଦ କରିବା ଅର୍ଥ ଆପଣା ଦଳର ଗୋଡ଼କୁ କୁରାଢ଼ି ଚୋଟ ପକାଇବା ।
ନବୀନବାବୁଙ୍କ ଅମଳରେ ପ୍ରକଳ୍ପ ଘୋଷଣା ଓ ବ୍ୟୟବରାଦ, ବ୍ୟୟମଂଜୁରୀ, ଟେଣ୍ଡର ପ୍ରକ୍ରିୟା, ଠିକାସଂସ୍ଥା ସହିତ ବୁଝାମଣା, ପ୍ରକଳ୍ପ ଅବଧି ବଢ଼ାଇବା, ପ୍ରକଳ୍ପ ବ୍ୟୟରାଶି ବଢ଼ାଇବା ଓ ପୁଣି ପ୍ରକଳ୍ପ ଝୁଲାଇବା ପ୍ରକ୍ରିୟା ଅତି ମାମୁଲି ହୋଇଗଲାଣି । ବିଭିନ୍ନ ସମୟରେ ବିଏମ୍‌ସି ଆବର୍ଜନା ପରିଚାଳନା କରିବା ପାଇଁ ଯୋଜନା କରୁଛି । ମାତ୍ର ସବୁଥର ଯୋଜନା ଫାଇଲ ଭିତରେ ରହିଯାଉଛି । ୨୦୦୮ରୁ ରୀତିମତ ପ୍ରୟାସ କ୍ରମାଗତ ବିଫଳ ହେଉଛି । ୨୦୧୪ରେ ଏସେଲ ନାମକ ସଂସ୍ଥା ଆବର୍ଜନାରୁ ଶକ୍ତି ଉତ୍ପାଦନ କରିବାର ଯୋଜନା ରଖିଥିଲା । ମାତ୍ର ବିଏମ୍‌ସିର ପରିଚାଳନାଗତ ତ୍ରୁଟି ତାକୁ ଫେରିଯିବାକୁ ବାଧ୍ୟ କଲା । ୨୦୧୯ରେ ବାୟୋମାଇନିଂ ପ୍ଲାଂଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଗଲା । ସେତେବେଳେ ବ୍ୟୟ ଅଟକଳ ୬୩ କୋଟି ରଖାଗଲା । ମାତ୍ର ପରେ ତାହା ବୃଦ୍ଧି ପାଇ ୧୩୦ କୋଟି ଟପିଲାଣି । ବ୍ୟୟ ଅଟକଳ ବଢ଼ିଲେ ଚିନ୍ତା ନାହିଁ ମାତ୍ର ପ୍ରକଳ୍ପ ନିର୍ମାଣ କାମ ଘୁଂଚିବା ସମସ୍ତଙ୍କୁ ବାଧୁଛି ।