Income Tax : ଆୟକର ବିଭାଗ ମାଡ଼ିବସିବ ଏହି ଲୋକମାନଙ୍କୁ

Income Tax : (ନୂଆଦିଲ୍ଲୀ) ଭାରତରେ ଜଣେ ବ୍ୟକ୍ତି ପକେଟରେ କେତେ ଟଙ୍କା ରଖି ନିର୍ଭୟର ସହିତ ହାଟ ବଜାରକୁ ଯାଇପାରିବେ? ମଉଜ ମଜଲିସ୍‌ କରିପାରିବେ? ଭାରତରେ ଜଣେ ବ୍ୟକ୍ତି ଘରେ ନଗଦ ଟଙ୍କା ଆକାରରେ କେତେ ଟଙ୍କା ରଖିପାରିବେ? ଖବର କାଗଜରୁ ଜାଣିବାକୁ ପାଉଛନ୍ତି ଯେ ଅମୁକ ବାବୁଙ୍କ ଘର ଉପରେ ଆୟକର ବିଭାଗ ଚଢ଼ଉ କରି ଏତିକି ପରିମାଣର ନଗଦ କ୍ୟାସ୍‌ ଜବତ କରିଛନ୍ତି । ଏତିକି କିଲୋ ସୁନା ଏତିକି କିଲୋ ରୂପା ଜବତ କରିଛନ୍ତି । ବେନାମୀ ଜମି ବେନାମୀ ଘର ତିଆରି କରିଛନ୍ତି । ଏମିତି କେତେ କ’ଣ? ବହୁ ସରକାରୀ ବାବୁଙ୍କ ଘର ଉପରେ ଆୟକର ବିଭାଗ ଚଢ଼ଉ କରୁଥିବା ଖବର ଆପଣ ଗଣମାଧ୍ୟମରୁ ଜାଣିବାକୁ ପାଉଛନ୍ତି ।

ମନରେ ପ୍ରଶ୍ନ ଆସୁଥିବ, ସରକାରୀ ବାବୁମାନେ ବ୍ୟବସାୟୀମାନେ ଶିଳ୍ପପତିମାନେ କେତେ ପରିଶ୍ରମ କରି ଦିନରାତି ନଖାଇ ନପିଇ ପୁଳା ପୁଳା ଟଙ୍କା କମାଉଛନ୍ତି ।

ଠିକ ଯେମିତି ମହୁମାଛି ପଲ ଦିନସାରା ପରିଶ୍ରମ କରି ମହୁଫେଣା ତିଆରି କରିବେ । ମାତ୍ର ମଣିଷ ଗୁଡ଼ାକ ସେମାନଙ୍କ ବସା ଭାଙ୍ଗି ମହୁ ଲୁଟି ନେଇଯାନ୍ତି । ଆୟକର ବିଭାଗ ବଡ଼ ନିର୍ଦ୍ଦୟ ନୁହେଁ କି?

ଆଛା ଆୟକର ବିଭାଗର ହାତଗୋଡ଼ ମୁହଁ ବନ୍ଦ କରିବା ପାଇଁ କ’ଣ କିଛି ବାଟ ନାହିଁ । ଆଜି ସେହି କଥା ଆପଣଙ୍କୁ ଜଣାଇବା ଉଚିତ ମଣୁଛୁ ।

ସତକଥା ହେଉଛି, ଆପଣ ପକେଟରେ ଯେତେ ଟଙ୍କା ରଖି ବୁଲିବାକୁ ଯାଇପାରନ୍ତି । ଭାରତ ସରକାର ସେପରି କିଛି କଟକଣା କରି ନାହାନ୍ତି । ଆପଣ ଘରେ କୋଟି କୋଟି ଟଙ୍କା ସାଇତି କରି ରଖିପାରିବେ । କିଲୋ କିଲୋ ସୁନା ସାଇତି ରଖିପାରିବେ । କିନ୍ତୁ ସେଗୁଡ଼ିକ ଆପଣ କୋଉଠୁ କେମିତି ଆୟ କରିଛନ୍ତି ତା’ର ଟିକିନିଖି ହିସାବ ଆପଣଙ୍କ ପାଖରେ ରହିବା ଜରୁରୀ ।

ତା’ ନହେଲେ ଆପଣ ଆୟକର ଆଇନ କବଳରୁ ଖସି ପାରିବେନି । ଆୟକର ବିଭାଗ ଆପଣଙ୍କର ଯେତିକି ପରିମାଣର ଧନସଂପତି ଜବତ କରିବ, ତା’ ଉପରେ ସର୍ବାଧିକ ୭୮ ଭାଗ ଜରିମାନା ଆଦାୟ କରିପାରିବ ।   ଏବେ ଆପଣ ବୁଝି ପାରୁଥିବେ, ଚୋରାଇ ଲୁଚାଇ ଗଳାବାଟ ଦେଇ ଧନ ରୋଜଗାର କରୁଥିବା ଲୋକମାନେ ହିଁ ଆୟକର କବଳରେ ପଡ଼ି ଛଟପଟ ହଲାପଟା ହୁଅନ୍ତି । #IncomeTaxDepartment