ଭାରତ ଜ୍ଞାନ ଆଧାରିତ ମହାଶକ୍ତି ହେବା ଦିଗରେ ଅଗ୍ରସର ହେଉଛି : ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଭାରତ ଗଠନ କରିବା ଏବଂ ଭାରତକୁ ଏକ ଆର୍ଥିକ ମହାଶକ୍ତି…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଭାରତ ଗଠନ କରିବା ଏବଂ ଭାରତକୁ ଏକ ଆର୍ଥିକ ମହାଶକ୍ତି ଭାବେ ସ୍ଥାପିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ୱାରା ଏକବିଂଶ ଶତାବ୍ଦୀରେ ଭାରତ ଏକ ଜ୍ଞାନ ଆଧାରିତ ମହାଶକ୍ତି ହେବା ଦିଗରେ ଅଗ୍ରସର ହେଉଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅନ୍ତରାଷ୍ଟ୍ରୀୟ ସେମିନାର ଉଦଘାଟନ ଅବସରରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଆଜି ଆମର ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଅନ୍ୟପକ୍ଷରେ ଭବିଷ୍ୟତର ପାଠ୍ୟକ୍ରମଗୁଡିକ ଦେଶର ଯୁବପିଢିଙ୍କ ସୃଜନ ଶକ୍ତି ଏବଂ ରୋଜଗାରକୁ ଅଧିକ ପ୍ରାଧାନ୍ୟ ଦେବାର ସକ୍ଷମ ରଖିଛ । କରୋନା ସମୟରେ ଉତ୍ପନ୍ନ ହୋଇଥିବା ଚ୍ୟାଲେଞ୍ଜ ପରେ ମଧ୍ୟ ଭାରତର ଗତିଶୀଳ ଅର୍ଥନୀତି ଏବଂ ପ୍ରଧାନମନ୍ତ୍ରୀଙ୍କ ଜନମଙ୍ଗଳ ଏବଂ ସୁଶାସନ ମଡେଲ ସମଗ୍ର ଦୁନିଆ ପାଇଁ ଉଦାହରଣ ପାଲଯିଛି ।

ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଗତ ୮୦ କୋଟି ନାଗରିକଙ୍କ ଖାଦ୍ୟ ସୁରକ୍ଷା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟି ଭଳି ଭାରତର ଜନକଲ୍ୟାଣକାରୀ ବ୍ୟବସ୍ଥାଗୁଡିକ ମାନବ କଲ୍ୟାଣ ଦିଗରେ ବଡ ପଦକ୍ଷେପ । ଭାରତ ଏବଂ ବିଶ୍ୱର ସମସ୍ୟାଗୁଡିକର ସମାଧାନ ପାଇଁ ବୈଶ୍ୱିକସ୍ତର ପର୍ଯ୍ୟନ୍ତ ନେବା ତଥା ଗ୍ଲୋବାଲ ମଡେଲ ଭାବରେ ପ୍ରତିଷ୍ଠିତ ହେବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ‘ସ୍ୱରାଜରୁ ନୂଆ ଭାରତ ପର୍ଯ୍ୟନ୍ତ ଭାରତ ବିଚାରର ପୁନରାବଲୋକନ’ ଶୀର୍ଷକ ଏହି ସେମିନାରକୁ ମୁଖ୍ୟ ଅତିଥିଭାବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍‌?ଘାଟନ କରି କହିଥିଲେ ଯେ ସ୍ୱରାଜର ବାଖ୍ୟାରେ ସ୍ୱଦେଶୀ, ସ୍ୱଭାଷା, ସ୍ୱଧର୍ମ, ଆମର ସଂସ୍କତି ଏବଂ ଦେଶର ସର୍ବୋଚ୍ଚ଼ ବିଚାର ସର୍ବପ୍ରଥମେ ମନକୁ ଆସିଥାଏ ।

କିନ୍ତୁ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସ୍ୱରାଜର ଏହି ସମସ୍ତ ବାଖ୍ୟାକୁ ଅଣଦେଖା କରି କେବଳ ଶାସନ ବ୍ୟବସ୍ଥାରେ ସୀମିତ କରାଗଲା । ବର୍ତ୍ତମାନ ସମୟରେ ଏ ସମସ୍ତ ବିଷୟଗୁଡିକର ପୁନର୍ବିଚାର ଜରୁରୀ । ସ୍ୱରାଜର ସମ୍ପୂର୍ଣ୍ଣ କଳ୍ପନା ହିଁ ନୂଆ ଇଣ୍ଡିଆର ବିଚାର ଏବଂ ଏହି ବିଚାର ହିଁ ଏହାର ମୂଳ ଆଧାର ବୋଲି ଶ୍ରୀ ଶାହ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ଯୋଗେଶ ସିଂହ, ବରିଷ୍ଠ ଶିକ୍ଷାବିତ ଏବଂ ଅନ୍ୟାନ୍ୟ ଅତିଥିଗଣ ସାମିଲ ହୋଇଥିଲେ ।