ଆଜିଠୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ

ଆଜିଠୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ମୂଲ୍ୟାୟନ । ମାଧ୍ୟମିକ ଶିକ୍ଷା…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ମୂଲ୍ୟାୟନ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌(ଏଚ୍‌ଏସ୍‌ଇ) ସମେତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ମଧ୍ୟ ଶନିବାର ଠାରୁ ଆରମ୍ଭ ହେବ । ଏଥିପାଇଁ ରାଜ୍ୟରେ ୫୮ଟି ମୂଲ୍ୟାୟନ କେନ୍ଦ୍ର ଚୟନ କରାଯାଇଛି । ପରୀକ୍ଷକମାନେ ମେ ୨୦ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେଇଛନ୍ତି । ମୂଲ୍ୟାୟନ ପାଇଁ ୪୮୧ଜଣ ମୁଖ୍ୟ ପରୀକ୍ଷକ, ୯୦୦ ଡେପୁଟି ମୁଖ୍ୟ ପରୀକ୍ଷକ, ୮୯୧୯ଜଣ ସହକାରୀ ପରୀକ୍ଷକ ଓ ୯୩୦ଜଣ ସ୍କୃଟନାଇଜର୍‌ ଙ୍କୁ ନିଯୁକ୍ତି କରାଯାଇଛି । ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ଦିନ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ୨୯ ତାରିଖରୁ ମଇ ୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି । ତେବେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିବା ନେଇ ବିବାଦ ଦେଖାଦେଇଥିଲା । ଏହାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ ।