ସୋସିଆଲ ମିଡିଆରେ ଦୈନିକ ୭ ଘଂଟା ବିତାଉଛନ୍ତି ଭାରତୀୟ

ସର୍ବାଧିକ ଭାରତୀୟ ବିଭିନ୍ନ ପ୍ରକାରର ସୋସିଆଲ ମିଡିଆ ଆପ୍ସ ବ୍ୟବହାର କରୁଥିବାର ଜଣାପଡେ଼….

ନୂଆଦିଲ୍ଲୀ: ଶେଯକୁ ଗଲେ ମଧ୍ୟ ୭୦ ଭାଗ ଭାରତୀୟଙ୍କ ହାତରୁ ମୋବାଇଲ ଖସୁନି । ଏମିତି ଏକ ଅଭ୍ୟାସରେ ପଡ଼ିଯାଇଛନ୍ତି ପ୍ରତି ଭାରତୀୟ ଯାହା ଭାରତକୁ ମାନସିକ ରୋଗୀ କରିଦେବ । ପୃଥିବୀର ଜନସଂଖ୍ୟା ୮୦୦ କୋଟି ଟପିଲାଣି । ସେମାନଙ୍କ ଭିତରୁ ୫୩୦ କୋଟି ଇଂଟରନେଟ୍‌ ବ୍ୟବହାର କରୁଛନ୍ତି ।

ଚୀନରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ସର୍ବାଧିକ । ମାତ୍ର ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି ସର୍ବାଧିକ ଭାରତୀୟ । ଭୋକ, ଶୋଷ, ନିଦ, ସଂପର୍କ ଓ କାମଦାମକୁ ପଛକୁ ପକାଇ ସର୍ବାଧିକ ଭାରତୀୟ ଏବେ ସୋସିଆଲ ମିଡିଆ ପାଗଳ ।

ଏଭଳି ମାରାତ୍ମକ ବଦାଭ୍ୟାସ ଆଦରିବା କ୍ଷେତ୍ରରେ ଆମେରିକା ଓ ଚୀନକୁ ପଛରେ ପକାଇଛି ଭାରତ । ରେଡ୍‌ସିୟର ନାମକ ଏକ ଗବେଷଣା ସଂସ୍ଥା ରିପୋର୍ଟ ମୁତାବକ ଭାରତରେ ପ୍ରତି ଇଂଟରନେଟ୍‌ ବ୍ୟବହାରକାରୀ ଦୈନିକ ସାଢେ଼ ୭ ଘଂଟା ବିତାଉଛନ୍ତି । ଭାରତୀୟ ଇଂଟରନେଟ୍‌ ବ୍ୟବହାରକାରୀଙ୍କ ଭିତରୁ ପ୍ରାୟ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟସ୍ତ ରହୁଛନ୍ତି ।

ଆମେରିକାର ପ୍ରତି ଇଂଟରନେଟ୍‌ ବ୍ୟବହାରକାରୀ ପ୍ରାୟ ୭ ଘଂଟା ଓ ଚୀନରେ ସାଢେ଼ ପାଂଚଘଂଟା ବିତାଉଛନ୍ତି । ସର୍ବାଧିକ ଭାରତୀୟ ବିଭିନ୍ନ ପ୍ରକାରର ସୋସିଆଲ ମିଡିଆ ଆପ୍ସ ବ୍ୟବହାର କରୁଥିବାର ଜଣାପଡେ଼ । ଆମେରିକାରେ ଜଣେ ବ୍ୟକ୍ତି ଅନ୍ୟୁନ ୭ଟି ସୋସିଆଲ ମିଡିଆ ସହିତ ଜଡ଼ିତ ରହୁଥିଲା ବେଳେ ପ୍ରତି ଭାରତୀୟ ଅନ୍ୟୁନ ୧୧ଟି ସୋସିଆଲ ମିଡିଆରେ ଆକାଉଂଟ ଖୋଲିଛନ୍ତି ।