ସୁକେଶଙ୍କ ଠକାମିର ଶିକାର ହୋଇଛନ୍ତି ନୋରା, ଜ୍ୟାକଲିନ୍‌

ପରେ ଇଡି ନୋଟିସ୍‌ ପାଇ ନୋରା ଅଫିସରେ ପହଂଚିବା ପରେ ପ୍ରଥମ ଥର ପାଇଁ ସୁକେଶକୁ ଦେଖିବାର ସୁଯୋଗ ପାଇଥିଲେ…

ମନି ଲଣ୍ଡରିଂ ମାମଲାରେ ସୁକେଶଙ୍କ ସହ ଜଡ଼ିତ ନୋରା ଫତେହି ଓ ଜ୍ୟାକଲିନ୍‌ ଏବେ ମଉକା ଦେଖି ଛକା ମାରିଛନ୍ତି । ଦୁହେଁ ସୁକେଶ ଓ ତାଙ୍କ ସହକର୍ମୀ ପିଙ୍କି ଇରାନୀଙ୍କ ମାୟାଜାଲରେ ପଡ଼ି ହିନସ୍ତା ଭୋଗିଥିବା କଥା କହିଛନ୍ତି । ଜ୍ୟାକଲିନ୍‌ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି, ସୁକେଶ ମୋର ଭାବାବେଗ ସହ ଖେଳିଛନ୍ତି । ମୋର ଜୀବନକୁ ନଷ୍ଟ କରିଛନ୍ତି । ମୋତେ ଅବାଟକୁ ନେଇଯାଇଛନ୍ତି । ମୋର କ୍ୟାରିୟରକୁ ନଷ୍ଟ କରିଛନ୍ତି । ସୁକେଶ ନିଜକୁ ଜଣେ ସରକାରୀ କର୍ମଚାରୀ ବୋଲି ଜ୍ୟାକଲିନ୍‌ଙ୍କୁ ପରିଚୟ ଦେଇଥିଲେ ।ଜ୍ୟାକଲିନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ମାତ୍ର ମେକ୍‌ ଅପ୍‌ ଆର୍ଟିଷ୍ଟ ଶାନ୍‌ଙ୍କ କଥାକୁ ବିଶ୍ୱାସ କରି ଜ୍ୟାକଲିନ୍‌ ସୁକେଶଙ୍କ ସହ ସଂପର୍କ ରକ୍ଷା କରିଥିଲେ ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଜ୍ୟାକଲିନଙ୍କ ନିକଟକୁ ବହୁ କଲ୍‌ ଆସିଥିଲା । ପ୍ରକୃତ କଥା ହେଉଛି, ସୁକେଶଙ୍କ ସହକର୍ମୀ ପିଙ୍କି ଇରାନୀ ମେକ୍‌ଅପ୍‌ ଆର୍ଟିଷ୍ଟ ଶାନ୍‌ ମୁଥାଥିଲଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ଯେ ସୁକେଶଙ୍କର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଉପରେ ବେଶ ଦବଦବା ରହିଛି । ସୁକେଶ ସନ୍‌ ଟିଭି ମାଲିକ ଓ ଜୟଲଳିତାଙ୍କ ପରିବାର ସହ ସଂପର୍କ ରଖିଛନ୍ତି । ସନ୍‌ ଟିଭି ମାଲିକ କାରଣରୁ ସୁକେଶଙ୍କ ପାଖରେ ବହୁ ପ୍ରୋଜେକ୍ଟ ରହିଥିବା ପିଙ୍କିଙ୍କଠାରୁ ଶୁଣି ଜ୍ୟାକଲିନଙ୍କ ମନ ବଦଳି ଯାଇଥିଲା । ସେ ସମୟ ସୁଯୋଗ ଦେଖି ସୁକେଶଙ୍କୁ ଭେଟିଥିଲେ । କ୍ରମେ ସେମାନଙ୍କର ସଂପର୍କ ନିବିଡ଼ ହେବାକୁ ଲାଗିଥିଲା । ଶେଷଥର ପାଇଁ ଜ୍ୟାକ୍‌ଲିନ୍‌ ଓ ସୁକେଶଙ୍କ ଭେଟ ୨୦୨୧ ଅଗଷ୍ଟ ୮ ତାରିଖରେ ହୋଇଥିଲା । ତା’ ପରଠାରୁ ସେମାନେ ପରସ୍ପରକୁ ସାକ୍ଷାତ କରି ନଥିଲେ । ତେବେ ପରେ ସୁକେଶଙ୍କୁ ଗିରଫ କରାଯାଇଥିବା କଥା ଜ୍ୟାକଲିନ୍‌ ଜାଣିବାକୁ ପାଇଥିଲେ ।

ନୋରା ଫତେହିଙ୍କ କ୍ଷେତ୍ରରେ ସୁକେଶ ଗୋଟିଏ ପାଦ ଆଗକୁ ଚାଲି ଯାଇଥିଲେ । ସୁକେଶ ତା’ର ଜଣେ ମହିଳା ବାନ୍ଧବୀଙ୍‌କ ଜରିଆରେ ନୋରାଙ୍କୁ ଦାମୀ ଘର ଓ ବିଳାସମୟ ଜୀବନଶୈଳୀ ପ୍ରଦାନ କରିବାର ଅଭିଳାଷ ପୋଷଣ କରିଥିଲା । ତେବେ ଏଥିପାଇଁ ସୁକେଶ ନୋରାଙ୍କୁ ବାନ୍ଧବୀ ଭାବେ ପାଇବାକୁ ସର୍ତ ରଖିଥିଲା । ନୋରା ଓ ସୁକେଶ କେବେ ମୁହାଁମୁହିଁ ସାକ୍ଷାତ ହୋଇ ନଥିଲେ । ପରେ ଇଡି ନୋଟିସ୍‌ ପାଇ ନୋରା ଅଫିସରେ ପହଂଚିବା ପରେ ପ୍ରଥମ ଥର ପାଇଁ ସୁକେଶକୁ ଦେଖିବାର ସୁଯୋଗ ପାଇଥିଲେ ।

ନୋରାଙ୍କ ସୂଚନା ମୁତାବକ ସେ ଭାରତ ବାହାରେ ଥିଲାବେଳେ ଆର୍ôଥକ ସଂକଟରେ ପଡ଼ି ତାଙ୍କର ମେକ୍‌ଅପ୍‌ ଆର୍ଟିଷ୍ଟ ବେବି ଗାଡ଼ିଟିକୁ ବିକି ଦେଇଥିଲେ । ନୋରା ଭାରତକୁ ଫେରି ଜାଣିବାକୁ ପାଇଲେ ଯେ ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ବେବି ଘର ବଦଳାଇ ଦେଇଛନ୍ତି । ଘର ବଦଳାଇବାର ଦୁଇମାସ ପରେ ନୋରାଙ୍କୁ ଇଡି ନୋଟିସ୍‌ ମିଳିଥିଲା । ନୋରା ଓ ଜ୍ୟାକଲିନଙ୍କଠାରୁ ଲିଖିତ ଅଭିଯୋଗ ପାଇବା ପରେ ତଦନ୍ତକାରୀ ସଂସ୍ଥା ସୁକେଶଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହାକୁ ଅପେକ୍ଷା କରାଯାଇଛି ।