ଆନ୍ତର୍ଜାତିକ ଦିନିକିଆରେ ଇତିହାସ ରଚିଲେ ଶୁଭମନ ଗିଲ

ଆନ୍ତର୍ଜାତିକ ଦିନିକିଆରେ ଦ୍ୱିଶତକ ହାସଲ କରିବାରେ ଗିଲ ହେଉଛନ୍ତି ବିଶ୍ୱସ୍ତରରେ ଅଷ୍ଟମ….

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍‌ ଦୁନିଆରେ ଯୋଗଦାନ କରିବାର ୬ ସପ୍ତାହ ଭିତରେ ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ବିଶ୍ୱ ରେକର୍ଡ ଅତିକ୍ରମ କରିବାକୁ ସକ୍ଷମ ହୋଇଛନ୍ତି । ହାଇଦ୍ରାବାଦ ମଇଦାନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ୟାଟିଂ କରିବାକୁ ଯାଇ ଶୁଭମନ ଦିନିକିଆ କ୍ରିକେଟ୍‌ ଇତିହାସରେ ଦ୍ୱିଶତକ ହାସଲ କରିଛନ୍ତି । ସେ ୧୪୯ଟି ବଲରୁ ବ୍ୟକ୍ତିଗତ ଭାବେ ୨୦୮ ରନ୍‌ ସଂଗ୍ରହ କରିବାର ଅବିସ୍ମରଣୀୟ ପାଳି ଖେଳିଛନ୍ତି ।

ନ୍ୟୁଜିଲାଣ୍ଡର ୪୯ତମ ଓଭରରେ ଲକି ଫର୍ଗୁସନଙ୍କ ବୋଲିଂରୁ ଗିଲ ଲଗାତର ତିନୋଟି ଛକା ମାରି ଦ୍ୱିଶତକ ହାସଲ କରିଥିଲେ । ଶୁଭମନଙ୍କ ଦ୍ୱିଶତକ ବଳରେ ଭାରତ ୮ ୱିକେଟ୍‌ ବିନିମୟରେ ବିରାଟ ସ୍କୋର ୩୪୭ ସଂଗ୍ରହ କରିଛି । ଗିଲ ଏବେ ଆନ୍ତର୍ଜାତିକ ଦିନିକିଆ ଇତିହାସରେ ସବୁଠାରୁ କମ୍‌ ବୟସର ଦ୍ୱିଶତକ ହାସଲକାରୀ ଖେଳାଳି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ।

ଗିଲ ଅନ୍ୟତମ କ୍ରିକେଟର ଈଶାନ କିଶନଙ୍କୁ ପଛରେ ପକାଇ ଦେଇଛନ୍ତି । କିଶନ ପ୍ରାୟ ୬ ସପ୍ତାହ ପୂର୍ବେ ବାଂଲାଦେଶ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ । ସେତେବେଳେ ଈଶାନଙ୍କ ବୟସ ୨୪ ବର୍ଷ ୧୪୫ ଦିନ ଥିଲା । ଏବେ ଗିଲଙ୍କ ବୟସ ୨୩ ବର୍ଷ ୧୩୨ ଦିନ ।

ସୂଚନା ମୁତାବକ ଆନ୍ତର୍ଜାତିକ ଦିନିକିଆରେ ଦ୍ୱିଶତକ ହାସଲ କରିବାରେ ଗିଲ ହେଉଛନ୍ତି ବିଶ୍ୱସ୍ତରରେ ଅଷ୍ଟମ ଓ ଭାରତର ପଂଚମ ବ୍ୟାଟ୍ସମ୍ୟାନ୍‌ । ଗିଲଙ୍କ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ, ରୋହିତ ଶର୍ମା ଓ ଈଶାନ୍‌ କିଶନ ଏଭଳି ରେକର୍ଡ ହାସଲ କରିଥିଲେ ।